କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ତୃତୀୟ ଲହର ମୁକାବିଲା ପାଇର୍ ପ୍ରସ୍ତୁତି ଓ କୋଭିଡ ସହାୟତା ସର୍ମ୍ପକରେ ସମୀକ୍ଷା କରି ନବୀନ କହିଛନ୍ତି, ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ୱାସ୍ଥ୍ୟସେବା ଉପରେ ସରକାର ଏବେ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଜିଲ୍ଲା ହସ୍ପିଟାଲ ଠାରୁ ଆରମ୍ଭ କରି ସିଏଚସି ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍.ଡି.ପି.ଓ, ସବ୍କଲେକ୍ଟର, ଏସ୍.ପି ଓ ଜିଲ୍ଲାପାଳ ସମସ୍ତେ ଏହା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହାବାଦ୍ କୋଭିଡର ଦ୍ୱିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ମନେରଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ବୁଲା ବିକାଳୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ । ଏଯାଏଁ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି । ସେହିଭଳି ଏହି ସମୀକ୍ଷା ବୈଠକରେ ଶିକ୍ଷକ ତଥା ସ୍କୁଲ କର୍ମଚାରୀଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟ ଶାସନ ସଚିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/34-8.jpg)