କନକ ବ୍ୟୁରୋ: ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣାଯାଇଛି । ଗତବର୍ଷ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏବର୍ଷ ମଧ୍ୟ ଯେପରି ରଥଯାତ୍ରା ସୁଚାରୁ ରୂପେ ପାଳିତ ହେବ ଏବଂ ଭକ୍ତ ମାନେ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁରୀ ସହରବାସୀ, ସେବାୟତ ମାନଙ୍କର ସହଯୋଗ କାମନା କରିଛନ୍ତି ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଏକ ଅସାଧାରଣ ପରିସ୍ଥିତିରେ ହେବାକୁ ଯାଉଛି । ସାରା ବିଶ୍ଵ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ହିଁ କାଳିଆ ଠାକୁରଙ୍କୁ ଦର୍ଶନ କରିବେ । ତେଣୁ ମହାପ୍ରଭୁଙ୍କ ନୀତି ଠିକ ସମୟରେ ଶେଷ ହେବା ଦରକାର । ତା ସହିତ କୋଭିଡ ନିୟମକୁ ମଧ୍ୟ ଯାତ୍ରା ସମୟରେ ଠିକ ଭାବରେ ପାଳନ କରାଯିବା ଜରୁରୀ ।
ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା
ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି
କୋଭିଡ୍ ନିୟମ ପାଳନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ#RathaJatra@Naveen_Odishapic.twitter.com/NkYpfIlTC1— Kanak News (@kanak_news) July 8, 2021
କୋଭିଡ଼ ମହାମାରୀ ସମ୍ପର୍କରେ ସଚେତନ କରାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡର ଦ୍ଵିତୀୟ ଲହର କମି ଆସୁଥିଲେ ମଧ୍ୟ ବିପଦ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ଚଳିତ ବର୍ଷ ରଥଯାତ୍ରା ଯେପରି ସୁରୁଖୁରୁରେ ଶେଷ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ । ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରୀ ନବ ଦାସ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ଵ ଦିଆଯାଇ ସ୍ଵତନ୍ତ୍ର ବ୍ୟବସ୍ତା କରାଯାଇଛି ବୋଲି କହିଛନ୍ତି । ସେବାୟତ ଓ ସମସ୍ତ ସମ୍ପୃକ୍ତ ଅଧିକାରୀ ମାନଙ୍କ ପାଇଁ କୋଭିଡ଼ ଟେଷ୍ଟ, ଟୀକାକରଣ ବ୍ୟବସ୍ତା ସହିତ ଫାଷ୍ଟ ଏଡ କେନ୍ଦ୍ର, ଆମ୍ବୁଲାନ୍ସ ଏବଂ ପୁରୀ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଜରୁରୀକାଳୀନ ଆବଶ୍ୟକତା ପାଇଁ ବ୍ୟବସ୍ତା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଗତବର୍ଷ ପରି ଏ ବର୍ଷ ମଧ୍ୟ ରଥଯାତ୍ରା ସୁରୁଖୁରୁରେ ଶେଷ ହେବ । ଏ ବର୍ଷ ମଧ୍ୟ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ପାଳିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ବୈଠକରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ (ଫାଇଭ-ଟି) ଭି.କେ. ପାଣ୍ଡିଆନ ଆଲୋଚନା ପରିଚାଳନା କରିଥିବାବେଳେ ଏଥିରେ ଅନ୍ୟ ବରିଷ୍ଠ ଅଫିସରମାନେ ମଧ୍ୟ ଉପସ୍ଥିତ ଥିଲେ ।