ମହାନ କାମ ପାଇଁ ମହା ସମ୍ମାନ : ଅଙ୍ଗଦାନ ଦିବସରେ ୩ଟି ପରିବାକୁ ‘ସୁରଜ ସମ୍ମାନ’ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରକୁ ‘ସୁରଜ ସମ୍ମାନ’ ସହ ୫ ଲକ୍ଷ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

285

କନକ ବ୍ୟୁରୋ: ମହାନ କାମ ପାଇଁ ମହା ସମ୍ମାନ । ଅଙ୍ଗଦାନ କରିଥିବା ରାଜ୍ୟର ୩ ପରିବାରକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ‘ସୁରଜ ସମ୍ମାନ’ରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଙ୍ଗଦାନ କରି ଜୀବନ ବଞ୍ଚାଇଥିବା ବ୍ୟକ୍ତି ଓ ତାଙ୍କ ପରିବାରବର୍ଗଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ‘ସୁରଜ ସମ୍ମାନ’ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ୨୦୧୯ ଅକ୍ଟୋବରରେ ଗଞ୍ଜାମ ଭଂଜନଗରର ଜଣେ ଯୁବକ ‘ସୁରଜ’ ଗୁଜୁରାଟର ସୁରଟରେ ଏକ ଦୁର୍ଘଟଣାର ଶିକାର ହୋଇ ମସ୍ତିଷ୍କ ମୃତ୍ୟୁ ଅବସ୍ଥାରେ ଥିଲେ । ତାଙ୍କ ପିତାମାତାଙ୍କ ସାହସିକ ନିଷ୍ପତ୍ତି ଫଳରେ ‘ସୁରଜ’ଙ୍କର ବୃକକ୍ , ଲିଭର, ହାର୍ଟ ଓ ଦୁଇ ଆଖି ତାଙ୍କ ଶରୀରରୁ କଢାଯାଇ ବିଭିନ୍ନ ସହରରେ ଛଅ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇ ପାରିଥିଲା । ସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ୍ଚ ନିଦର୍ଶନକୁ ସମ୍ମାନ ଜଣାଇ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଜ ସମ୍ମାନ ପୁରସ୍କାର ଘୋଷଣା କରିଥିଲେ ।

‘ସୁରଜ’ଙ୍କ ପରେ ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀ ଡ଼େଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ଉପରୋକ୍ତ ବ୍ୟକ୍ତିମାନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ଯାହାଫଳରେ ଅନ୍ୟମାନଙ୍କ ଜୀବନ ବଞ୍ଚାଯାଇ ପାରିଥିଲା । ସେମାନଙ୍କ ଏହି ତ୍ୟାଗକୁ ସମ୍ମାନ ଜଣାଇ ଆଜି ଭିଡ଼ିଓ ଜରିଆରେ ସେମାନଙ୍କ ପରିବାରକୁ ‘ସୁରଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ଏବଂ ସେମାନଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁରଜଙ୍କ ପରିବାରର ସାହସିକ ନିଷ୍ପତ୍ତି ଓ ମଣିଷ ପଣିଆର ଉଚ୍ଚପ୍ରଶଂସା କରିବା ସହିତ ସେମାନଙ୍କ ତ୍ୟାଗ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ସୃଷ୍ଟି କରିଛି ବୋଲି କହିଥିଲେ ।