ନିର୍ବାଚନ ପୂର୍ବରୁ ୫ ବର୍ଷର ହିସାବ ଦେଲେ ନବୀନ । ଚତୁର୍ଥ ପାଳିର ଶେଷ ମନ୍ତ୍ରୀପରିଷଦ ବୈଠକରେ ବଖାଣିଲେ ସରକାରଙ୍କ ସଫଳତା ।

220

କନକ ବ୍ୟୁରୋ: ବିଜେଡି ସରକାରଙ୍କ ଚତୁର୍ଥ ପାଳିର ଶେଷ ମନ୍ତ୍ରୀପରିଷଦ ବୈଠକ ଶେଷ । ଅଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀପରିଷଦ ବୈଠକ । ବୈଠକରେ ସମସ୍ତ ବିଭାଗୀୟ ମନ୍ତ୍ରୀଙ୍କ ସହ ଚତୁର୍ଥ ପାଳିରେ ରାଜ୍ୟ ସରକାର କରିଥିବା ବିଭିନ୍ନ ଜନହିତକାରୀ ଯୋଜନାର ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଅନେକ ଯୋଜନାର ହିସାବ ଦେଇଛନ୍ତି ପ୍ରମୁଖ ବିଭାଗୀୟ ମନ୍ତ୍ରୀ ।

ଦୀର୍ଘ ୫ ବର୍ଷ ମଧ୍ୟରେ ରାଜ୍ୟର ବିକାଶକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ନୂଆ ଓଡ଼ିଶା ଗଠନ ପାଇଁ ଆମ ସରକାର ସର୍ବଦା କାର୍ଯ୍ୟ କରୁଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର । ଏବଂ ଗତ ୫ ବର୍ଷ ପୂର୍ବେ ଯେଉଁ ପ୍ରତିଶ୍ରୁତି ରଖିଥିଲୁ ସେଗୁଡ଼ିକ ତର୍ଜମା ଓ ସମୀକ୍ଷା କଲୁ । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତିର ମା ମାନେ, ପଞ୍ଚାୟତିରାଜ ପ୍ରତିନିଧିଗଣ, ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀ ଗଣ ସମସ୍ତଙ୍କ ସହଯୋଗରେ ଆମେ ଏତେ ବାଟ ଆସି ପାରିଛୁ । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜଗନ୍ନାଥଙ୍କ ଆର୍ଶୀବାଦରୁ ଲୋକଙ୍କ ସେବା କରୁଛୁ । ଯେଉଁ ପ୍ରତିଶ୍ରୁତି ରାଜ୍ୟ ସରକାର ଚତୁର୍ଥ ପାଳିରେ ଦେଇଥିଲେ ତାହାକୁ ପୂରଣ କରିବାରେ ରାଜ୍ୟବାସୀଙ୍କ ସହଯୋଗ ମିଳିଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର । ମୋ ପରିବାର ପାଖରେ ମୁଁ ଯାହା କଥା ଦେବି, ତାକୁ ପୂରଣ କରି ନୂଆ ଓଡ଼ିଶା ଗଠନ ପାଇଁ ମୁଁ କାମ କରି ଚାଲିବି । ଏଥିପାଇଁ ଆପଣଙ୍କ ଆଶୀର୍ବାଦ ହିଁ ମୋର ଶକ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ଅତିରିକ୍ତ ୪ଲକ୍ଷ ୮୦ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ପଠାଇଛନ୍ତି ।

ସେହିପରି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକଙ୍କ ପାଇଁ ଏକ ମହତ୍ୱାକାଂକ୍ଷୀ ଯୋଜନା କରିଛନ୍ତି । ଯେଉଁଥିରେ ରାଜ୍ୟର କୃଷକଙ୍କ ଉନ୍ନତି ସାକାର ହୋଇପାରିଛି । ଏପରିକି ଏହା କୃଷକଙ୍କ ପାଇଁ ଏକ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା । ଏଯାବତ୍ ପାଖାପାଖି ୩୨ ଲକ୍ଷ କାଳିଆ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ପଠାଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।