କନକ ବ୍ୟୁରୋ: ବିକାଶ ମୁହାଁ ସ୍ୱାଭିମାନ ଅଞ୍ଚଳ । ରାସ୍ତାଘାଟ ଠାରୁ ଆରମ୍ଭ କରି ସରକାରୀ ଯୋଜନା ଏବେ ସ୍ୱାଭିମାନ ଅଞ୍ଚଳରେ ପହଁଞ୍ଚିବା ଆରମ୍ଭ କରିଛି । ତେବେ ପ୍ରତିଟି କାହାଣୀ ପଛରେ ଯେମିତି ଜଣେ ନାୟକ ଥାଆନ୍ତି, ଠିକ୍ ସେମିତି ସ୍ୱାଭିମାନ ଅଞ୍ଚଳର ବିକାଶ ପଛରେ ବି ଅଛନ୍ତି ସେମିତି ଜଣେ ନାୟକ । ଯାହାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଲାଲଗଡରେ ରାସ୍ତା ଘାଟ ନିର୍ମାଣ ସମ୍ଭବ ହୋଇଛି ।

Advertisment

ସେ ବିକାଶର ବିନ୍ଧାଣୀ, ବିକାଶର ଭଗୀରଥ କେତେବେଳେ ଘୋଡା ପିଠିରେ ବସି ତ ଆଉ କେତେବେଳେ ଦେଶୀ ଡଙ୍ଗାରେ ପାଣି ପାରି ହୋଇ ଅପହଁଚ ଇଲାକାରେ ପହଞ୍ଚିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ନିଜର ନିଷ୍ଠାପର ସେବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ତାଙ୍କ କାର୍ଯ୍ୟକୁ ଅନୁସରଣ କରିବା ପାଇଁ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

publive-image

ଗତ ୪ ତାରିଖରେ ଫାଇଭ-ଟିର ମୋ ସରକାର କାର୍ଯ୍ୟକ୍ରମରେ ଆଉ ୫ଟି ବିଭାଗକୁ ସାମିଲ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ଥିଲା ପ୍ରଶାନ୍ତଙ୍କ ନାଁ । ସ୍ୱାଭିମାନ ଅଂଚଳରେ ବିକାଶ ପହଂଚାଇବା ପାଇଁ ପ୍ରଶାନ୍ତଙ୍କ ନିଷ୍ଠାପର ସେବାକୁ ପ୍ରଶଂସା କରିଥିଲେ ନବୀନ । ଏମିତିକି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ ।

ପ୍ରଶାନ୍ତ ବେହେରା । ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ସ୍ୱାଭିମାନ ଅଞ୍ଚଳରେ ତାଙ୍କ କାମ ଖୁବ ଉଚ୍ଚ କୋଟିର । ଲୋକଙ୍କ ପାଖରେ ବିକାଶ ପହଂଚାଇବା ପାଇଁ କେବେ ପଛଘୁଞ୍ଚା ଦେଇନାହାନ୍ତି ଏହି ଅଧିକାରୀ । କେବେ ପାହାଡିଆ ପାଦଚଲା ରାସ୍ତାରେ ଘୋଡା ପିଠିରେ ତ କେବେ ଦେଶୀ ଡଙ୍ଗାରେ ନିଜେ ଆହୁଲା କରି ଲାଲଗଡରେ ଆଦିବାସୀଙ୍କ ପାଖରେ ପହଂଚିଥାନ୍ତି ପ୍ରଶାନ୍ତ ।

publive-image

ତେବେ ବିକାଶର ଭଗୀରଥ ସାଜି ସ୍ୱାଭିମାନ ଅଞ୍ଚଳକୁ ଯିବାବେଳେ ଅନେକ ଥର ମାଓବାଦୀଙ୍କୁ ସାମ୍ନା ବି କରିଛନ୍ତି ପ୍ରଶାନ୍ତ । କିନ୍ତୁ ସରକାରୀ ଯୋଜନାକୁ ଆଗକୁ ନେବା କ୍ଷେତ୍ରରେ ଲାଲ ଆଖି ଦେଖି କେବେ ଡରି ଯାଇ ନାହାନ୍ତି କି ପଛକୁ ଫେରି ନାହାନ୍ତି । ନିଜ ଜୀବନକୁ ବାଜି ଲଗାଇ ସ୍ୱାଭିମାନ ଅଂଚଳରେ ସର୍ଭେ କରିଛନ୍ତି । ଗୁରୁପ୍ରୀୟା ଠାରୁ ଯନ୍ତାପାଇ, ଯନ୍ତାପାଇ ଠାରୁ ବିଡାରପାଖନା ଦେଇ ହନ୍ତାଳଗୁଡା ଓ ହନ୍ତାଳଗୁଡା ପାହାଡ କାଟି ଯୋଡାମ୍ବ ଯାଏଁ ଲାଲଗଡର ଛାତି ଚିରି ନୂଆ ରାସ୍ତା ନିର୍ମାଣ କରିବାରେ ପ୍ରଚ୍ଛଦପଟ୍ଟର ନାୟକ ସାଜିଛନ୍ତି ଯନ୍ତ୍ରୀ ପ୍ରଶାନ୍ତ ବେହେରା ।

ମାଲକାନଗିରିର ପୁଅ ପ୍ରଶାନ୍ତ ବେହେରା । ପାଠପଢା ଠାରୁ ଆରମ୍ଭ କରି ଚାକିରି ଜୀବନ, ସବୁ କିଛି ମାଲକାନଗିରିରେ । ୨୦୧୪ ମସିହାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗଦେଇ ସ୍ୱାଭିମାନ ଅଂଚଳର ବିକାଶ ପାଇଁ ଅଣ୍ଟା ଭିଡିଥିଲେ ପ୍ରଶାନ୍ତ । ପୂର୍ବରୁ ୨୦୦୬ରୁ ୨୦୧୦ ଯାଏଁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗରେ କାମ କରିଥିଲେ । ସେହିଭଳି ୨୦୧୦ ଠାରୁ ୨୦୧୪ ଯାଏ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟ କରୁଥିବା ବେଳେ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇ ପ୍ରଶଂସା ସାଉଁଟିଥିଲେ ପ୍ରଶାନ୍ତ ।