ବିଜେଡି ଉପରେ ଏନଡିଏ ଓ ୟୁପିଏର ନଜର ପ୍ରସଙ୍ଗ: ପିସିସି ସଭାପତି କହିଲେ, କେନ୍ଦ୍ରରେ ଯିଏ ଗଢିବ ସରକାର, ତାଙ୍କ ସହ ରହିବେ ନବୀନ

ପୁରୁଣା ହୋଇଗଲାଣି ବିଜେଡିର ସମଦୂରତ୍ୱ କଥା;ମେ ୨୩ ପରେ ସ୍ପଷ୍ଟ ହେବ ଚିତ୍ର

262

କନକ ବ୍ୟୁରୋ: କେନ୍ଦ୍ରରେ ଯିଏ ସରକାର ଗଢିବ, ନବୀନ ତାଙ୍କ ସହ ରହିବେ । ବିଜେଡିର ସମଦୂରତ୍ୱ କଥା ପୁରୁଣା ହୋଇଗଲାଣି । ବିଜେଡି ଉପରେ ଉଭୟ ଏନଡିଏ ଓ ୟୁପିଏର ନଜର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କନକ ନ୍ୟୁଜର କାର୍ଯ୍ୟକ୍ରମ ମନୋରଂଜନ ମିଶ୍ର ଲାଇଭରେ ଫୋନ ଯୋଗେ ନିରଞ୍ଜନ ଏହା କହିଛନ୍ତି । ଏଥିସହ ମେ ୨୩ ପରେ ଏନେଇ ଚିତ୍ର ସ୍ପଷ୍ଟ ହୋଇପାରିବ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ମେ’ ୨୩ ପାଇଁ ଅଙ୍କକଷା ଜୋରସୋରେ ଚାଲିଛି । ଦିଲ୍ଲୀରୁ ଭୁବନେଶ୍ୱର ରାଜନୀତିର ପାଣିପାଗକୁ ଅନୁଧ୍ୟାନ କରିବା ପାଇଁ ସବୁ ଶିବିରରେ ଉକ୍ରଣ୍ଠା, ଉତ୍ସାହ ଏବଂ ରଣକୌଶଳ । ଜାତୀୟ ଖବରକାଗଜରେ ଏବେ ଗୋଟିଏ ଖବରକୁ ନେଇ ଚର୍ଚ୍ଚା । ସୋନିଆ ଗାନ୍ଧୀଙ୍କ ଚିଠି ଆଂଚଳିକ ଦଳ, ବିଶେଷ କରି ବିଜେଡିକୁ । ସୋନିଆ ଗାନ୍ଧୀ ମେ’ ୨୩ ତାରିଖ ଅର୍ଥାତ୍ ଯେଉଁ ଦିନ ନିର୍ବାଚନ ଫଳ ପ୍ରକାଶ ପାଇବ ସେହିଦିନ ୟୁପିଏ ସହ ଥିବା ଦଳ ଏବଂ ଏନଡିଏ ସହ ନଥିବା ଦଳକୁ ନେଇ ଏକ ବୈଠକ ଡାକୁଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀ ସରକାର ପାଇଁ ପ୍ରସ୍ତୁତ ରହିବା । ଯଦି ଏଭଳି ଏକ ମେଂଟ ମୋଦିଙ୍କୁ ଚ୍ୟାଲେଂଜ୍ ଦେଇପାରେ, ସେଥିଲାଗି ଆଗୁଆ ପ୍ରସ୍ତୁତ ହେବ । ଜାତୀୟ ଖବର କାଗଜରେ ଆଉ ଏକ ଖବର ବି ପ୍ରକାଶ ପାଇଛି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । କମଲନାଥ ମୁଖ୍ୟମନ୍ତ୍ରୀଙ୍କର ପୁରୁଣା ବନ୍ଧୁ । ଏବଂ ତାଙ୍କୁ ମେ ୨୩ ତାରିଖ ସୋନିଆ ଡାକିଥିବା ବୈଠକରେ ଯୋଗ ଦେବା ପାଇଁ ଡାକିଛନ୍ତି ।

ଏପଟେ ବାତ୍ୟା ଅଂଚଳ ଗସ୍ତ ଗଲା ବେଳେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା । ପ୍ରତିଉତର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସହାୟତା ପାଇଁ ଧନ୍ୟବାଦ ଦେବା । ଆଉ ଗତକାଲି ପ୍ରେସ୍ କନ୍ଫରେନ୍ସରେ ଅମିତ ଶାହା ନବୀନଙ୍କୁ ପ୍ରଶଂସା କରିବା । ପଶ୍ଚିମବଙ୍ଗର ହିଂସାକାଣ୍ଡକୁ ନିନ୍ଦା କରି ନବୀନ ଶାସନକୁ ପ୍ରଶଂସା କରିବା । ଆଂଚଳିକ ଶକ୍ତିମାନଙ୍କୁ ନିଜ ପାଖକୁ ନେବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ କେତେ ଚେଷ୍ଟିତ ତାର ପ୍ରମାଣ ମିଳୁଛି । ବିଜେଡି ସ୍ପଷ୍ଟ କରୁଛି ଓଡ଼ିଶାର ସ୍ୱାର୍ଥକୁ ଯିଏ ଦୃଷ୍ଟି ଦେବ ସେହିଦଳ ସପକ୍ଷରେ ରହିବ । ଯଦି କେନ୍ଦ୍ରରେ ଏଭଳି ଏକ ସ୍ଥିତି ସୃ୍ଷ୍ଟି ହୁଏ ଏବଂ ବିଜେଡିର ସମର୍ଥନରେ ସରକାର ଗଠନର ସଂଭାବନା ତିଆରି ହୁଏ, ତାହେଲେ ବିଜେଡି କାହା ସପକ୍ଷରେ ଯାଇପାରେ । ଯଦି କଂଗ୍ରେସ ଓ ବିଜେପି ଭିତରୁ ଜଣକୁ ପସନ୍ଦ କରିବାକୁ ହୁଏ, ତାହେଲେ ବିଜେଡି କାହାକୁ ସମର୍ଥନ କରିବ । ଏହା ଏବେ କୋଟିଏ ଟଙ୍କାର ପ୍ରଶ୍ନ ହୋଇ ସାମ୍ନାକୁ ଆସିଛି ।