ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ୫ ପ୍ରସ୍ତାବ: ଜିଲ୍ଲା ସ୍ତରୀୟ ଜୋନ୍ ନିୟମ ବଦଳାଇବାକୁ ପରାମର୍ଶ; ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ଭିତିରେ ନିଷ୍ପତି ନେବାକୁ ମିଳୁ ଅନୁମତି

1,156

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ୫ଟି ପ୍ରମୁଖ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲା ସ୍ତରୀୟ ଜୋନ୍ ନିୟମ ବଦଳରେ ନିର୍ଦ୍ଦିଷ୍ଟ ଅଂଚଳକୁ ଜୋନ୍ ନିୟମର ପରିସର ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ ପଟ୍ଟନାୟକ । ଯାହା ଫଳରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଏହି ନିର୍ଦ୍ଦିଷ୍ଟ ଅଂଚଳକୁ ଜୋନ୍ ନିୟମ ପରିସର ଭୁକ୍ତ କରାଯାଇପାରିବ । ଦ୍ୱିତୀୟରେ, ତାଲା ବନ୍ଦ ନିୟମ ଓ ନିର୍ଦ୍ଦେଶାବଳୀକୁ ଏକ ବୃହତର ଦୃଷ୍ଟିରୁ ଜାତୀୟ ସ୍ତରରେ ଏକ ନୀତି ପ୍ରସ୍ତୁତ କରାଯାଉ ଏବଂ କ୍ଷମତାର ବିକେନ୍ଦ୍ରୀକରଣକୁ ଧ୍ୟାନ ଦେଇ ସ୍ଥାନୀୟ ପ୍ରଶାସନକୁ ନିଷ୍ପତି ନେବାର କ୍ଷମତା ଦିଆଯାଉ । ତୃତୀୟରେ ଅର୍ଥନୈତିକ କାରବାରକୁ କ୍ରିୟାଶୀଳ କରିବାକୁ ଏକ ଜାତୀୟ ସ୍ତରର ଏସ୍ଓପି ପ୍ରସ୍ତୁତ କରାଯାଉ । ଯାହା, ଅର୍ଥନୀତିକୁ ଗତିଶୀଳ କରିବା ଦିଗରେ ଦିଗନିର୍ଣ୍ଣୟ କରିବ । ଚତୁର୍ଥରେ, କେନ୍ଦ୍ରୀୟ ଯୋଜନାରେ ପରିବର୍ତନ କରାଯାଇ, କୋଡିଡ୍-୧୯ ବା କରୋନା ମୁକାବିଲା ଦିଗରେ ପଂଚାୟତରାଜ୍ ସଂସ୍ଥାକୁ ସାମିଲ କରାଯାଉ ।

ସେହିପର ସଂପୃକ୍ତ ରାଜ୍ୟଗୁଡ଼ିକ ସହ ବିଚାରବିମର୍ଶ କରି ରେଳ ପରିଚାଳନା ନିୟନ୍ତ୍ରଣ କରାଯାଉ । ଏହାରି ଭିତରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନାର ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି କଂଟେନ୍ମେଂଟ ରଣନୀତି ଓ ଅଟକି ରହିଥିବା ଅର୍ଥନୀତିକୁ ପୁଣି କିପରି ତ୍ୱରାନ୍ୱିତ କରାଯିବ, ଏହା ଉପରେ ଜୋର ଦେଇଛନ୍ତି ମୋଦୀ । ସେହିପରି ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମେ ଯିଏ ଯେଉଁଠି ଥିଲେ, ସେହି ସ୍ଥାନରେ ରହିବାକୁ ଗୁରୁତ୍ୱ ଦିଆଯାଉଥିଲା ।

ହେଲେ ଘରକୁ ଫେରିବା ମଣିଷଙ୍କ ସ୍ୱାଭାବିକ ପ୍ରବୃତି ହୋଇଥିବାରୁ ନିଷ୍ପତି ବଦଳାଇବାକୁ ପଡିଛି । ତେବେ ଗ୍ରାମାଂଚଳରେ କିପରି କରୋନା ସଂକ୍ରମଣ ବ୍ୟାପିବ ନାହିଁ, ସେନେଇ ସତର୍କ ରହିବାକୁ ପଡ଼ିବ ଓ ଏହା ବଡ଼ ଆହ୍ୱାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପଂଚମ ଥର ପାଇଁ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିବା ବେଳେ ତାଲାବନ୍ଦ କଟକଣା ନମାନିବାରୁ କିଛି ସ୍ଥାନରେ ସଂକ୍ରମଣ ବ୍ୟାପିଛି ବୋଲି ପ୍ରଧାନମନ୍ତ୍ରୀ କହିଥିବା ସୂଚନା ମିଳିଛି ।