ଗୁଜବ ଭିତରେ ସାମ୍ନାକୁ ଆସିଲା ନବୀନଙ୍କ ନିଆରା ରୂପ : ଧଳା ଟି-ସାର୍ଟ ଓ କଳା ଟ୍ରାକସୁଟରେ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ଦେଲେ ବାର୍ତ୍ତା ; କ୍ରୀଡା ଭିତିଭୂମି ପ୍ରକଳ୍ପ ଅଗ୍ରଗତିର କଲେ ସମୀକ୍ଷା

132

କନକ ବ୍ୟୁରୋ : ଅସୁସ୍ଥ ଗୁଜବ ପ୍ରଚାର ଭିତରେ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ସମସ୍ତଙ୍କୁ ଚମକେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖେଳାଳିଙ୍କ ଭଳି ଟି-ସାର୍ଟ ଓ ଟ୍ରାକସୁଟ ପିନ୍ଧି ମୁଖ୍ୟମନ୍ତ୍ରୀ ନିଜେ ସଂପୂର୍ଣ୍ଣ ଫିଟ୍ ଥିବା ବାର୍ତ୍ତା ବିରୋଧୀଙ୍କୁ ଦେଇଛନ୍ତି । କଳିଙ୍ଗ ଷ୍ଟାଡିୟମ ଯାଇ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ଭାରତର ପୁରୁଷ ଓ ମହିଳା ହକି ଟିମର ଖେଳାଳିମାନଙ୍କୁ ଭେଟି ପ୍ରୋ-ଲିଗ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଇନଡୋର ଆଥଲେଟିକ୍ ଷ୍ଟାଡିୟମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା ମୁଖ୍ୟମନ୍ତ୍ରୀ କରିଛନ୍ତି ।

ଦେଶର ପ୍ରଥମ ଇନଡୋର ଆଥଲେଟିକ୍ ଷ୍ଟାଡିୟମ ନିର୍ମାଣରେ ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା । ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ସଂପୂର୍ଣ୍ଣ ହେବା ଲକ୍ଷ୍ୟ ରହିଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ୍ କ୍ରୀଡ଼ା ଅନୁଷ୍ଠିତ ହେବ ଏବଂ ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିପାରିବେ । ୧୦୦ ଜଣେ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି । ନିର୍ମାଣାଧୀନ ଟେନିସ୍ ସେଂଟର ପ୍ରକଳ୍ପକୁ ମଧ୍ୟ ବୁଲି ଦେଖିଥିଲେ ନବୀନ । ଏହି ଟେନିସ୍ ସେଂଟରରେ ଆଇଟିଏଫ୍ ଟୁର୍ଣ୍ଣାମେଂଟ ଓ ଡେଭିସ୍ ପକ୍ ଭଳି ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ହେବା ଭଳି ସୁବିଧା ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରିଡା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧିନରେ ଏହିସବୁ କ୍ରୀଡା ପ୍ରକଳ୍ପ ନିର୍ମାଣ କରାଯାଉଛି ।

ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ଫୁଟବଲ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ମହିଳା ଫୁଟବଲ ଲିଗର ମ୍ୟାଚ ଦେଖିଥିଲେ ଏବଂ ଖେଳାଳୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏହାସହ ଜାତୀୟ ହକି ଦଳ ପୁରୁଷ ଓ ମହିଳା ଖେଳାଳିଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ ନବୀନ । ଆଗାମୀ ପ୍ରୋ-ଲିଗ୍ ମ୍ୟାଚ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏସିଆନ୍ ଓ କମନୱେଲ୍ଥ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟ ରଖିବା ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଫାଇଭ୍ – ଟି ସଚିବ ଭି.କେ ପାଣ୍ଡିଆନ୍ ଓ କ୍ରୀଡ଼ା ସଚିବ ଭିନିଲ୍ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।