ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । କହିଲେ, ସାଢେ ୪ କୋଟି ଓଡ଼ିଆ ମୋର ପରିବାର, ସମସ୍ତଙ୍କ ସୁରକ୍ଷା ମୋର ସବୁଠୁ ବଡ ପ୍ରାଥମିକତା ।

272

କନକ ବ୍ୟୁରୋ : ବାତ୍ୟା ୟାସ୍ ଉପକୂଳ ଆଡକୁ ମାଡି ଆସୁଥିବା ବେଳେ ରାଜ୍ୟବାସୀଙ୍କ ବଡ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ ବାତ୍ୟା ୟାସ୍ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ଷେ ହେବ କୋଭିଡ ବିରୋଧରେ ଲଢେଇ ଜାରି ରହିଛି । କିନ୍ତୁ ଏବେ ଏକସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କରୋନାର ମୁକାବିଲା କରିବାକୁ ହେବ । ଗତବର୍ଷ କୋଭିଡ ସହ ଅମ୍ଫାନର ମୁକାବିଲା କରିଥିଲୁ  ।ତେଣୁ ଏଥର ମଧ୍ୟ ୟାସର ସଫଲ ମୁକାବିଲା କରିବୁ ବୋଲି କହିଛନ୍ତି ନବୀନ ।

ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ । ତଥାପି ଆମକୁ ସାବଧାନ ରହିବାକୁ ପଡିବ ।ସରକାର ଉଭୟ କୋଭିଡ ଓ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ।  ଜନସାଧାରଣଙ୍କର ସହଯୋଗ ଆମ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ । ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର  । ମୋ ପରିବାରର ନିରାପତ୍ତା ମୋର ସବୁଠୁ ବଡ ପ୍ରାଥମିକତା । ପ୍ରତିଟି ଜୀବନ ମୂଲ୍ୟବାନ, ତେଣୁ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେବେ ବାତ୍ୟା ପୂର୍ବରୁ କଚ୍ଚା ଘର ଛାଡି ପକ୍କା ଘର ଓ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଆସନ୍ତୁ । ବାତ୍ୟା ମୁକାବିଲା ପାଇଁ ପ୍ରଶାସନକୁ ସହଯୋଗ କରନ୍ତୁ । କରୋନା କାଳରେ ସମସ୍ତଙ୍କୁ ଅଧିକ ସତର୍କ ରହି କାମ କରିବାକୁ ପଡିବ ।