ନବୀନଙ୍କ ଶପଥ ସମାରୋହ ପାଇଁ ସଜେଇ ହେଉଛି ଇଡକୋ ପଡିଆ । ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀଙ୍କୁ ବିଜେଡିର ନିମନ୍ତ୍ରଣ । ସେପଟେ କିଏ ପାଇବ ମନ୍ତ୍ରୀପଦ, ଚାଲିଛି ଅଙ୍କକଷା ।

632

କନକ ବ୍ୟୁରୋ : ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିର ହୋଇଛି ବଡ ବିଜୟ । ଲଗାତାର ପଂଚମ ଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପ୍ରଦର୍ଶନୀ ପଡିଆରେ ବୁଧବାର ହେବ ଶପଥଗ୍ରହଣ ଉତ୍ସବ । ବୁଧବାର ସକାଳ ସାଢେ ୧୦ଟାରେ ଶପଥ ନେବେ ନବୀନ । ନବୀନଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛି ବିଜେଡି । ସେପଟେ ମନ୍ତ୍ରୀପଦ ପାଇଁ ଆରମ୍ଭ ହୋଇଯାଇଛି ଲବି । କିଏ ହେବ କ୍ୟାବିନେଟ ମନ୍ତ୍ରୀ ଏବଂ କାହାକୁ ମିଳିବ ରାଷ୍ଟ୍ରପାହ୍ୟା, ସେନେଇ ଚାଲିଛି ଅଙ୍କକଷା ।

ପ୍ରଥମ ଥର ପାଇଁ ରାଜଭବନ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡ଼ିଆ । ନିରାଡମ୍ଭର ହେଲେ ବି ଏକ ନିଆରା ଓ ସ୍ମରଣୀୟ ଢ଼ଙ୍ଗରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ପ୍ରାୟ ୬ ହଜାର ଲୋକଙ୍କ ପାଇଁ ଆୟୋଜିତ ହେଉଥିବା ଏହି କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛି ବିଜେଡି । ଅନ୍ୟପଟେ ଓଡ଼ିଶା ନିର୍ମାଣରେ ସାମିଲ ହେଉଥିବା ଶିଳ୍ପପତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ ଦିଆଯାଇଛି । ଏହା ବ୍ୟତୀତ ଓଡ଼ିଶାର ସମସ୍ତ ରାଜନୈତିକ ଦଳର ନେତା, ସମାଜିକ ସଂଗଠନ, କୃଷକ ସଂଗଠନ ଏବଂ ଶ୍ରମିକ ସଂଗଠନର ପ୍ରତିନିଧିିଙ୍କୁ ନିମନ୍ତ୍ରଣ କରାଯାଇଛି ।

ନବୀନଙ୍କ ଟିମରେ ରହିବେ କିଏ ? କାହାକୁ ମିଳିବ ମନ୍ତ୍ରୀ ପଦ ? ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣକୁ ନେଇ ଯେତିକି ଉତ୍କଣ୍ଠା ରହିଛି, ତାଠୁ ଅଧିକ ଚର୍ଚ୍ଚା ହେଉଛି ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସ୍ଥାନ? ୨୧ ଜଣିଆ ନବୀନଙ୍କ ନୂଆ ଟିମରେ କିଏ ହେବେ ସାମିଲ ଏବଂ କାହାକୁ ବାଦ ଦେବେ ନବୀନ । ଏହି ସବୁ ଚର୍ଚ୍ଚା ଭିତରେ ସର୍ବୋଚ୍ଚ କ୍ଷମତା କେନ୍ଦ୍ର ନବୀନ ନିବାସରେ ଆରମ୍ଭ ହୋଇଛି ମନ୍ତ୍ରୀପଦ ପାଇଁ ଜୋରଦାର ଲବି ।

ଆଶାୟୀ ଅନେକ, କିନ୍ତୁ ଆସନ ସୀମିତ । ଆଉ ଏସବୁ ଭିତରେ କାହାକୁ ମନ୍ତ୍ରୀ ପଦ ମିଳିବ, ସେ ନେଇ ଚାଲିଛି ଜୋରଦାର କସରତ । କିନ୍ତୁ ଚଳିତ ଥର ନବୀନଙ୍କ ବ୍ରିଗେଡରେ ସାମିଲ ହୋଇପାରନ୍ତି ଏଭଳି କିଛି ବିଧାୟକ, ଯାହାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ସହ ସାଂଗଠନିକ ଦକ୍ଷତା ଏବଂ ପ୍ରଶାସନିକ ସାମର୍ଥ୍ୟ ଥିବ । ତେବେ ନଜର ପକାନ୍ତୁ ମନ୍ତ୍ରୀ ପଦ ପାଇଁ ଅଧିକ ଚର୍ଚ୍ଚାରେ ଥିବା କିଛି ବିଧାୟକଙ୍କ ଉପରେ ।

ବିକ୍ରମ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ସମୀର ଦାସ, ପ୍ରତାପ ଜେନା, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ଅମର ଶତପଥୀ, ସୁଶାନ୍ତି ସିଂ, ଟୁକୁନୀ ସାହୁ, ରଜନୀକାନ୍ତ ସିଂ, ପ୍ରଫୁଲ୍ଲ ସାମଲ, ସୂର୍ଯ୍ୟ ନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଦାସ, ସୁଦାମ ମାରାଣ୍ଡି, ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଡିଆନ୍, ନିରଞ୍ଜନ ପୂଜାରୀ ଏବଂ ପ୍ରଣବ ବଳବନ୍ତ ରାୟ । ଅବଶ୍ୟ କିଏ ମନ୍ତ୍ରୀ ହେବ ତାହା ବିଜେଡି ବିଧାୟକ ଦଳ ନେତା ନବୀନଙ୍କ ଇଚ୍ଛାଧିନ ବ୍ୟାପାର । ସେ ଯାହାକୁ ଚାହିଁବେ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରିବେ ।