କନକ ବ୍ୟୁରୋ : ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ । ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
ପିଣ୍ଟୁଙ୍କ ବିୟୋଗରେ ସାରା ଓଡିଶା ମର୍ମାହତ । ଜଲିଉଡ୍ ଏବଂ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅଭିନୟ ଏବଂ ପରୋପକାରୀ ମନଭାବ ପାଇଁ ଆଜି ତାଙ୍କୁ ଝରୁଛନ୍ତି ଅନେକ କଳାକାର ।

Advertisment

ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ପରେ ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଅତ୍ୟନ୍ତ ମର୍ମାହତ ହେବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, ଶ୍ରୀ ନନ୍ଦ ଓଡ଼ିଆ ଆଲବମରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଥିଲେ ।  ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ସୁନାମ ଅର୍ଜନ କରିଥିଲେ ।  ତାଙ୍କର ଏହିପରି ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ଅପୂରଣୀୟ କ୍ଷତି ।