ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ‘ଫୋନି’ ପାଇଁ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଅନୁରୋଧ ।

321

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବା ନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କୁ ଭେଟି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ କମିଶନଙ୍କୁ ଭେଟିବା ପରେ ନବୀନ କହିଛନ୍ତି କି, ବାତ୍ୟା ‘ଫୋନି’ ଓଡ଼ିଶା ମୁହାଁ ହୋଇଛି । ବାତ୍ୟା ‘ଫୋନି’ରେ କେନ୍ଦ୍ରାପଡ଼ା ଜିଲ୍ଲା ବେଶ୍ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କଲି । ଏବଂ ନିର୍ବାଚନ କମିଶନ ଏହାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି ।”

ଅନ୍ୟପଟେ ଆସନ୍ତା ୧୯ ତାରିଖରେ ପାଟକୁରାରେ ଭୋଟ୍ ପଡ଼ିବ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ । କିନ୍ତୁ ସମ୍ଭାବ୍ୟ ବାତ୍ୟା ‘ଫୋନି’ ରାଜ୍ୟର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଭଳି ଜିଲ୍ଲାକୁ ବେଶି ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ରାଜ୍ୟ ସରକାର ତତ୍ପର ରହିଥିବାବେଳେ ଏଭଳି ନିର୍ବାଚନ ହେବା ହୁଏତ ସମ୍ଭବ ପର ନହୋଇପାରେ ତେଣୁ ଏହାକୁ ବିଧିବଦ୍ଧ ଆଇନ ଅନୁସାରେ ଘୁଞ୍ଚାଇାବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।