ଚମକିବ ଜଗନ୍ନାଥ ଧାମ । ଶ୍ରୀଜିଉଙ୍କ ଦର୍ଶନ ସାରି, ୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ର ବିକାଶ ପାଇଁ ଖର୍ଚ୍ଚ ହେବ ୫୧୦ କୋଟି ।

417

କନକ ବ୍ୟୁରୋ: ବଦଳିବ ପୁରୀର ଚିତ୍ର । ଜଗନ୍ନାଥଧାମ ହେବ ବିଶ୍ୱ ଐତ୍ୟିହ ସହର । ଏହାକୁ ମିଶନ ଭାବେ ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଜି ପୁରୀ ଗସ୍ତ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ନବୀନ । ଏହାପରେ ପ୍ରସ୍ତାବିତ ପ୍ରକଳ୍ପର ମ୍ୟାପ୍ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ କହିଛନ୍ତି କି, ମହାପ୍ରଭୁଙ୍କ ଦର୍ଶନ କରି ମୁଁ ବହୁତ ଖୁସି । ଚାରି ଧାମରୁ ଜଗନ୍ନାଥ ଧାମ ପ୍ରତି ରହିଛି କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସ ତେଣୁ ପୁରୀକୁ ଆହୁରି ସୁନ୍ଦର କରାଯିବ ।

ଶ୍ରୀଜିଉଙ୍କ ଦର୍ଶନ ସାରି ପୁରୀ ମୁନିସିପାଲଟି ମାର୍କେଟ ଜମିରେ ପହଁଚି ଶ୍ରୀ କ୍ଷେତ୍ରରେ ନବକଳେବର ପାଇଁ ୭ଟି ବଡପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୧୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ଏହି ୭ଟିପ୍ରକଳ୍ପ ପୁରୀକୁ ବିଶ୍ୱ ଐତ୍ୟିହର ରୂପ ଦେବ । ଶ୍ରୀଜିଉଙ୍କ ଦର୍ଶନ ସାରି ଶିଳାନ୍ୟାସ ପର୍ବ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସବୁଠାରୁ ବଡ଼କଥା ହେଲା, ଆକର୍ଷଣୀୟ ଶ୍ରୀ ସେତୁ, ଶ୍ରୀଜଗନ୍ନାଥବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟକରଣ, ଜେଲ ରୋଡରେ ବହୁତଲ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପେ୍ଲକ୍ସ ଭଳି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପମାନ ରହିଛି । ଏହା ସମ୍ପୂର୍ଣ୍ଣୀକରଣ ହେଲେ ପୁରୀ ଆହୁରି ସୁନ୍ଦର ଦେଖାଯିବ ବୋଲି କହିଛନ୍ତି ନବୀନ । ତେବେ ଏହି ଅବସରରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।