କନକ ବ୍ୟୁରୋ: ମୁମ୍ବାଇ ପରେ ଦିଲ୍ଲୀରେ ଶିଳ୍ପପତିଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କେଇମାସ ପରେ ଓଡ଼ିଶାରେ ହେବାକୁଥିବା ‘ମେକ୍ ଇନ୍ ଓଡିଶା କନକ୍ଲେଭ’ ପ୍ରସ୍ତୁତି ନେଇ ଶିଳ୍ପପତିଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିଛନ୍ତି ନବୀନ । ଏହାସହ ‘ଇନଭେଷ୍ଟ ଓଡ଼ିଶା’ ୱେବସାଇଟ୍ ମଧ୍ୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ସର୍ବଦା ଶିଳ୍ପକୁ ଗୁରୁତ୍ୱ ଦେଇଛନ୍ତି । ଯେଉଁଥି ପାଇଁ ୧୮ ବର୍ଷ ଧରି ସରକାର ଭିତ୍ତିଭୂମି ଉପରେ ଫୋକସ ଦେଇଛନ୍ତି ।
ପୂର୍ବରୁ ମୁମ୍ବାଇରେ ଯେଉଁଭଳି ରୋଡ୍ ଶୋ ଜରିଆରେ ଶିଳ୍ପପତିଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ସେହିଭଳି ଦିଲ୍ଲୀରେ ମଧ୍ୟ ଶିଳ୍ପପତି ମାନଙ୍କୁ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଶିଳ୍ପ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି । ଏବଂ ଓଡିଶା ସରକାର ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ପୁଞ୍ଜି ନିବେଶ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଯଦି ଓଡିଶାରେ ଆପଣାମନେ ପୁଞ୍ଜି ନିବେଶ କରୁଛନ୍ତି ତେବେ ଓଡ଼ିଶା ନିଶ୍ଚିତ ଭାବେ ପୂର୍ବ ଭାରତର ‘ମାନୁଫାକଚରିଂ’ ହବ୍ ପାଲଟିବ ବୋଲି ଦୃଢ଼ ବିଶ୍ୱାସ ରହିଛି” ।
ବିଶେଷ କରି ରାଜ୍ୟରେ ଥିବା ଖଣିଜ ସମ୍ପଦ ବିକାଶ ଦିଗରେ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ୨୦୩୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ତୃଣମୂଳ ସ୍ତରରେ ରାଜ୍ୟରେ ବିଭିନ୍ନ ସାମଗ୍ରୀର ଉତ୍ପାଦନ କ୍ଷମତାକ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ଉପଯୋଗୀ ପରିବେଶ ବୃଦ୍ଧି କରାଯାଇ ପାରିବ ବୋଲି ଶିଳ୍ପପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଗତ କିଛି ବର୍ଷ ହେବ ଓଡ଼ିଶା ସରକାର “ଥ୍ରୀ-ଟି” ଉପରେ ଗୁରୁତ୍ୱ ଦେଇ ଶିଳ୍ପ କ୍ଷେତ୍ରରେ ବିକାଶ ଆଣିବା ପାଇଁ ଉଦ୍ୟମ କରୁଛନ୍ତି । ବନ୍ଦରର କ୍ଷମତା ବର୍ତ୍ତମାନ ସୁଦ୍ଧା ୧୦ ଗୁଣା ବୃଦ୍ଧି ହୋଇ ୧୯୦ ମିଲିୟନ ମେଟ୍ରିକ ଟନରେ ପହଁଚିଛି । ରାଜ୍ୟରେ ବର୍ତ୍ତମାନ ପୁଞ୍ଜି ନିବେଶ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି ହୋଇଛି । ତେଣୁ ଶିଳ୍ପପତିମାନଙ୍କୁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।