ଆରଟିଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଅଧିକ କାଉଣ୍ଟର ଖୋଲି ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ଦେଲେ ନିର୍ଦ୍ଦେଶ

ଦ୍ରୁତ ଗତି ଓ ନିଶାସେବନ କରି ଗାଡି ଚଳାଇଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

650

କନକ ବ୍ୟୁରୋ: ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଳାର ଜିଲ୍ଲାପାଳ, ଏସପି ଓ ଆରଟିଓ ମାନଙ୍କ ସହ ଆଲୋଚନା କରିଛନ୍ତି । ଲୋକଙ୍କ ସୁବିଧା ପାଇଁ ଅଧିକ କାଉଂଟର ଖୋଲିବା ଓ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱରୋପ କରିଛନ୍ତି । ଓଡିଶାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୫ ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ଅଧିକାଂଶ ଯୁବକମାନଙ୍କର ମୃତ୍ୟୁ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ଏହାକୁ ଅତ୍ୟନ୍ତ ଗୁରୁତର ସହିତ ନେଇ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଯୋଜନାବଦ୍ଧ ଭାବରେ ପଦକ୍ଷେପ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଦ୍ରୁତ ଓ ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା ଓ ନିଶାଦ୍ରବ୍ୟ ସେବନ କରି ଗାଡି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନିୟମିତ କଡାକଡି ଯାଂଚ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସଡକ ଦୁର୍ଘଟଣା ସମୟରେ ଆହତ ବ୍ୟକ୍ତିମାନଙ୍କର ଆଶୁ ଚିକିତ୍ସା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏ ଦିଗରେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଡକ ସୁରକ୍ଷା ତଥା ଟ୍ରାଫିକ୍ ଆଇନ ସଂପର୍କରେ ଜନସଚେତନା ହିଁ ଦୁର୍ଘଟଣାକୁ ରୋକି ପାରିବ । ତେଣୁ ସ୍କୁଲ , କଲେଜ ଠାରୁ ଆରମ୍ଭ କରି ରାସ୍ତା ମାଙ୍କରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ଏଥିପାଇଁ ପରିବହନ ବିଭାଗ ସହ ଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ନବୀନ ।

ଗାଡିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ଯେପରି ଲୋକମାନେ ସୁବିଧାରେ କରିପାରିବେ, ତାକୁ ଦଷ୍ଟିରେ ରଖି ଆରଟିଓ ଅଫିସମାନଙ୍କରେ ଅଧିକରୁ ଅଧିକ କାଉଂଟର ଖୋଲାଯିବା ସହିତ ଗ୍ରାମାଂଚଳମାନଙ୍କରେ ଶିବିରମାନ ଆୟୋଜନ କରାଯିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଏଥିସହିତ ୧୫ ଦିନ ଭିତରେ ଆରଟିଓ ଅଫିସ ଗୁଡିକୁ ସଂପୂର୍ଣ୍ଣ ଦଲାଲମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।