କନକ ବ୍ୟୁରୋ : ଲୋକାର୍ପିତ ହେଲା ମହାନଦୀରେ ଦୀର୍ଘତମ ସେତୁ । ବାଙ୍କିର ବୈଦେଶ୍ୱର ଓ ବଡ଼ମ୍ବାର ଗୋପିନାଥପୁରକୁ ସଂଯୋଗ କରୁଥିବା ଏହି ସେତୁକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧୧ କୋଟି ଟଙ୍କା ବ୍ୟୟରେ ଏହି ସେତୁର ନିର୍ମାଣ କରାଯାଇଛି । ଏବଂ ଏହା ଦ୍ୱାରା ୫ ଲକ୍ଷ ଲୋକ ଉପକୃତ ହେବେ ବୋଲି କୁହାଯାଉଛି ।

Advertisment

ଲୋକାର୍ପିତ ହେଲା ମହାନଦୀରେ ଦୀର୍ଘତମ ସେତୁ । ୩.୪ କିଲୋମିଟରର ସେତୁ, ୧୧୧ କୋଟି ଟଙ୍କା ବ୍ୟୟ । କଟକ ଜିଲ୍ଲା ବାଙ୍କୀର ବୈଦେଶ୍ୱର ଏବଂ ବଡ଼ମ୍ବାର ଗୋପିନାଥପୁରକୁ ସଂଯୋଗ କରୁଥିବା ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକାର୍ପଣ କରିବା ପରେ ଏହା ଉପରେ ବୁଲିଥିଲେ ମୁଖ୍ୟମନ୍ତ୍ରୀ । ଏହି ସେତୁ ଯୋଗୁଁ ବାଙ୍କୀ, ବଡମ୍ବା ଓ ନରସିଂହପୁରକୁ ଗମନାଗମନ ସହଜ ହେବ । ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବ୍ରହ୍ମପୁର, ଢେଙ୍କାନାଳ ମଧ୍ୟରେ ଦୂରତା କମିବ । ଏହା ଦ୍ୱାରା ଉପକୃତ ହେବେ ୫ ଲକ୍ଷ ଲୋକ ।

ଏହି ସେତୁର ସ୍ୱତନ୍ତ୍ରତା ହେଉଛି, ଏହାର ଆକାର ଇଂରାଜୀ ଅକ୍ଷର ‘ଟି’ ଭଳି । ସେତୁ ମଝିରୁ ନୃସିଂହନାଥ ପୀଠକୁ ଯୋଡ଼ିବାକୁ ଆଉ ଏକ ସଂଯୋଗୀକରଣ ସେତୁ । ସେତୁର ନାମକରଣ କରାଯାଇନଥିବାରୁ ଏହାକୁ ‘ଟି’ ସେତୁ ବୋଲି କୁହାଯାଉଛି ।

୨୦୧୪ ଫେବ୍ରୁଆରୀ ୨୮ରେ ଏହାର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ୩ ଦଶମିକ ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ମୋଟ ୧୧୧ କୋଟି ଟଙ୍କା । ମହାନଦୀ ଉପରେ ଏହା ସବୁଠୁ ବଡ଼ ସେତୁ ବୋଲି କୁହାଯାଉଛି ।

ଏବେ ନଜର ପକାନ୍ତୁ ରାଜ୍ୟର କେଉଁ ସେତୁର ଦୂରତା କେତେ ରହିଛି ।
- ମହାନଦୀ ଉପରେ ଗୋପୀନାଥପୁର-ବୈଦେଶ୍ୱର ସେତୁ ୩.୪ କିଲୋମିଟର
- କାଠଯୋଡି ଉପରେ ଥିବା ନେତାଜୀ ସୁଭାଷ ସେତୁ ୨.୯ କିଲୋମିଟର
- ହୀରାକୁଦ ଉପରେ ରାମପେଲା-ଇବ୍ ସେତୁର ଦୂରତା ୨.୫ କିଲୋମିଟର
- ମହାନଦୀ ଉପରେ ଜତାମୁଣ୍ଡିଆ ସେତୁ ୨.୧ କିଲୋମିଟର
- ମହାନଦୀ ଉପରେ କିଆକଟା ସେତୁର ଦୂରତା ୨ କିଲୋମିଟର