ରାଉରକେଲା ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ: ଭିଡିଓ କନଫରେସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; କହିଲେ, ପ୍ଲାଜମା ଦାନକୁ ଏକ ଆନ୍ଦୋଳନରେ କରାଯିବ ପରିଣତ

ଖୁବ ଶୀଘ୍ର ବ୍ରହ୍ମପୁର ଓ ବୁର୍ଲାରେ ଆରମ୍ଭ ହେବ ପ୍ଲାଜମା ବ୍ୟାଙ୍କ

68

କନକ ବ୍ୟୁରୋ: ପ୍ଲାଜମା ଥେରାପି ଗୁରୁତର କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛି । ପ୍ଲାଜମା ଥେରାପିର ପ୍ରୟ‌ୋଗ ପରେ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ଲାଜମା ବ୍ୟାଙ୍କକୁ ଏକ ଆନ୍ଦୋଳନରେ ପରିଣତ କରାଯିବ । ଏଥିପାଇଁ ରାଜ୍ୟ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହିତ କରାଯିବ ।

ଏହି ଅବସରରେ କରୋନାରୁ ସୁସ୍ଥ ହୋଇଥିବା ଜଣେ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଉଦଘାଟନ ହୋଇଥିବା ପ୍ଲାଜମା ବ୍ୟାଙ୍କ ପଶ୍ଚିମ ଓଡ଼ିଶା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ କରୋନା ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କରୋନା ପାଇଁ ଯେହେତୁ ଟିକା ବାହାରି ନାହିଁ, ତେଣୁ ଏହାର ଉପଚାରରେ ପ୍ଲାଜମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାମ ଆଗକୁ ବଢ଼ିବ  । ସୁନ୍ଦରଗଡ଼, ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶାର ଲୋକେ ସହଜରେ ପ୍ଲାଜମା ଦାନ କରିପାରିବେ । ଏହା ଦ୍ବାରା ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ ।

Comments are closed.