ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହେଲା ଆଉ ଏକ ବଡ ଉତ୍ସବ । କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହେଲା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ । ୪୯ ଦିନ ଧରି ବେଳାଭୂମୀରେ ଚାଲିବ କାର୍ଯ୍ୟକ୍ରମ

359

କନକ ବ୍ୟୁରୋ: ଚନ୍ଦ୍ରଭାଗା-ରାମଚଣ୍ଡି ସ୍ୱର୍ଣ୍ଣିମ ବେଳାଭୂମିରେ ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍ ମହୋତ୍ସବ ଉଦଘାଟିତ ହୋଇଛି । ଏହି ୪୯ ଦିନିଆ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ପର୍ଯ୍ୟଟକଙ୍କ ପାଇଁ ବେଳାଭୂମିରେ ବିଳାସପୂର୍ଣ୍ଣ ଟେଂଟ୍ ତିଆରି ହୋଇଛି । ଏଥିସହ ସମୁଦ୍ରରେ ଭଳିକି ଭଳି ଜଳକ୍ରୀଡା । ଉତ୍ସବରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଜମିବ । ସେପଟେ ଉଦଘାଟନୀ ସଂଧ୍ୟାରେ ୟୁଫୋରୀଆ ବ୍ୟାଣ୍ଡରେ ଝୁମିଛନ୍ତି ଅତିଥି ।

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇଯାଇଛି ଆଉ ଏକ ବଡ ଉତ୍ସବ । ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟ ରାମଚଣ୍ଡୀ ବେଳାଭୂମିରେ ଆରମ୍ଭ ହୋଇଛି ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉତ୍ସବ । ବେଳାଭୂମିରେ ସଜେଇ ହୋଇଛି ୫୦ଟି ୨ ଶଯ୍ୟା ବିଶିଷ୍ଟ ବିଳାସପୂର୍ଣ୍ଣ ଟେଂଟ୍ । ସମୁଦ୍ରର ସୁ ସୁ ଶବ୍ଦ ସହ ପଂଚତାରକା ହୋଟେଲର ଅନୁଭବ ଦେବ ଏହି ଅସ୍ଥାୟୀ ଘର । କ୍ଲାସିକ କଟେଜ୍ରୁ ପ୍ରେସିଡେନ୍ସିଆଲ୍ ଭିଲ୍ଲା । ରାତି କଟାଇବାକୁ ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ୭ ହଜାରରୁ ୨୨ ହଜାର ଟଙ୍କା ।

ପର୍ଯ୍ୟଟକଙ୍କ ପାଇଁ ରହିଛି ସୁସ୍ୱାଦୁ ଖାଦ୍ୟ ପେୟ, ବିଚ୍ ସ୍ପା ଏବଂ ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିସହ ଜେଟ୍ ସ୍କାଏ, ଜର୍ବିଂ, ୱାଟର ରୋଲର, ସ୍ପିଟ୍ ବୋଟିଂ, ପାରାସେଲିଂ, ଆର୍ଚେରୀ, ରାଇଫଲ ସୁଟିଂ ଓ ବିଚ୍ ଭଲିବଲ୍ ଭଳି ରୋମାଂଚଭରା ଖେଳ ଉପଭୋଗ କରିବାର ସୁଯୋଗ ଦେବ ଏହି ଇକୋ ରିଟ୍ରିଟ୍ । ତେବେ ଜାନୁଆରୀ ୩୧ ତାରିଖ ଯାଏ ଏହି ଉତ୍ସବ ଚାଲିବ । ୪୯ ଦିନର କାର୍ଯ୍ୟକ୍ରମରେ ପ୍ରତି ଶନିବାର ଦେଶର ଜଣାଶୁଣା ପପ୍ ଗାୟକ , ସେଲିବ୍ରିଟି ଡିଜେ ଓ ବଲିଉଡ୍ କଂଠଶିଳ୍ପୀ ପର୍ଯ୍ୟଟକଙ୍କ ମନୋରଂଜନ କରିବେ ।