କରୋନା ଲଢେଇ ବେଳେ ଜୀବିକାକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଜୀବନ ସହିତ ଲୋକଙ୍କ ଜୀବିକା ବି ଗୁରୁତ୍ୱ ପାଇବ; ଜଗତସିଂହପୁର ବିଲୁଆଖାଇ ସେତୁ ଉଦଘାଟନ୍ ବେଳେ କହିଲେ ନବୀନ

121

କନକ ବ୍ୟୁରୋ: କୋଭିଡ ଯୁଦ୍ଧ ଜୀବନ ପାଇଁ ଲଢୁଥିବା ବେଳେ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ରାଜ୍ୟର ସବୁକ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଦୋରଦାର କରାଯିବ । ସଡକ, ସେତୁ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ  କ୍ଷତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଜଗତସିଂହପୁରର କେତେକ ବିକାଶମୂଳକ ପଦକ୍ଷେପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିକନ୍ଫରେନ୍ସ ଜରିଆରେ ବିରିଡି ବ୍ଲକ ବିଲୁଆଖାଇ ନଦୀଉପରେ ୧୨୦୦ ମିଟର ଲମ୍ବର ହାଇଲେଭଲ ସେତୁ ଉଦଘାଟିତ ହୋଇଛି । ଏଥିପାଇଁ ମୋଟ ୬୧ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ସେତୁ ଫଳରେ ୫୫ ନମ୍ବର ଜାତୀୟ ରାଜପଥ କନ୍ଦରପୁର ମାଛଗାଁ ରାସ୍ତାକୁ ସଂଯୋଗ କରୁଛି । ବାଇଶି ମୌଜା ଏବେ ୧୬ ନମ୍ବର ଜାତୀୟ ରାଜପଥ ଓ ୬୦ ନମ୍ବର ରାଜ ରାଜପଥକୁ ସଂଯୋଗ କରୁଛି ।

ଫଳରେ କଟକ ଓ ଭୁବନେଶ୍ୱର ଯିବା ସହଜ ହେବ । ଏଥିସହିତ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲ୍ୟ ରେ ୧୮କୋଟି ୫୭ ଲକ୍ଷ ଟଙ୍କାର ବିନିମୟରେ ୬ ମହଲା ବିଶିଷ୍ଟ ୧୦୦ଶଯ୍ୟା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଚିକିତ୍ସାଳୟ ଓ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ ହୋଇଛି । ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପାଳ ଉପସ୍ଥିତ ଥିଲେ ।