କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି।ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମା ମାଣିକେଶ୍ୱରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହି ଉଦ୍ୟମ ଦ୍ବାରା ମାଙ୍କ ପୀଠର ମହିମା ଆହୁରି ବୃଦ୍ଧି କରିବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ ଯେ ୫-ଟି ଉପକ୍ରମ ଅଧୀନରେ ମାଙ୍କର ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ଏବଂ ମାଙ୍କ ଆଶୀର୍ବାଦ ଓ କଳାହାଣ୍ଡିବାସୀଙ୍କର ଉଦ୍ୟମ ଆଜି କଳାହାଣ୍ଡିରେ ରୂପାନ୍ତର ଆଣିଛି। କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି। ଏହି ବିକାଶରେ କଳାହାଣ୍ଡିର ପ୍ରତି ପରିବାର ଓ ପ୍ରତି ଲୋକ ସିଏ ଚାଷୀ ହେଉ ବା ଶ୍ରମିକ, ଯୁବ ସମାଜ, ସାଧାରଣ ଜନତା ବା ମହିଳା – ସମସ୍ତଙ୍କର ଅବଦାନରେ କଳାହାଣ୍ଡି ଆଗେଇ ଚାଲିଛି। କଳାହାଣ୍ଡିର ଚାଷୀ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି। କଳାହାଣ୍ଡି କପାର ଚାହିଦା ବଢିଛି। ଶିଳ୍ପ ନୂଆ ସୁଯୋଗ ଆଣିଛି। ଭିତ୍ତିଭୂମି ମଜଭୁତ ହୋଇଛି। କଳାହାଣ୍ଡି ୟୁନିଭରସିଟି, ସରକାରୀ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଆଜ କଳାହାଣ୍ଡି ଯୁବସମାଜ ପାଇଁ ନୂଆ ପରିଚୟ ଆଣିଛି। ବିଜୁଳି ଯୋଗାଣରେ ମଧ୍ୟ ଉନ୍ନତି ଆସିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ସବୁବେଳେ ତାଙ୍କର ଲକ୍ଷ୍ୟ ହୋଇ ରହିଛି। କଳାହାଣ୍ଡିକୁ ସେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଆସିଛନ୍ତି ଏବଂ ଚଳିତ ବର୍ଷ ଦୁଇ ଦୁଇ ଥର କଳାହାଣ୍ଡି ଯାଇ ବିକାଶ ଓ କଲ୍ୟାଣ କାମ ଆରମ୍ଭ କରିଛନ୍ତି। ବିକାଶ ପ୍ରତି କଳାହାଣ୍ଡିବାସୀଙ୍କର ଅକୁଣ୍ଠ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ସାଥୀରେ ଧରି ବିକାଶ ଧାରା ଆଗକୁ ବଢିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଶିଳ୍ପ, ଶକ୍ତି ଓ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନତି ସାଧିତ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଲାଞ୍ଜିଗଡ ବିଧାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ସୁଜିତ କୁମାରଙ୍କ ସମେତ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ।