ଶପଥ ପୂର୍ବରୁ ଶ୍ରୀକ୍ଷେତ୍ରରେ ସୁପ୍ରିମୋ । ଆଗାମୀ ଶାସନକାଳ ପାଇଁ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ ପଟ୍ଟନାୟକ ।

246

କନକ ବ୍ୟୁରୋ: ଆଗାମୀ ଶାସନକାଳର ଶପଥ ପୂର୍ବରୁ ଶ୍ରୀକ୍ଷେତ୍ର ଗସ୍ତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟାରେ ପୁରୀରେ ପହଁଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି ନବୀନ । ଆସନ୍ତାକାଲି ବିଧିବଦ୍ଧଭାବେ ନିଜର ୫ମ ପାଳି  ତଥା ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେଣୁ ଏହାପୂର୍ବରୁ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି ନବୀନ ।

୧୯ ଯୁଦ୍ଧରେ ବିରୋଧୀଙ୍କୁ ଚିତ୍ କରି ନବୀନ ପଞ୍ଚମଥର ପାଇଁ ରାଜ୍ୟର କ୍ଷମତାଭାର ସମ୍ଭାଳିବାକୁ ଯାଉଛନ୍ତି । ଆଉ ଏହି ପଞ୍ଚମ ପାଳିକୁ ସ୍ମରଣୀୟ କରିବା ପାଇଁ ଆସନ୍ତା କାଲି ପ୍ରଦର୍ଶନୀ ପଡ଼ିଆରେ ଶପଥ ସମାରୋହ ଉତ୍ସବ ଆୟୋଜନ କରାଯାଉଛି । ଯେଉଁଥିରେ ନବୀନ ବିଧିବଦ୍ଧଭାବେ ମୁଖ୍ୟମନ୍ତ୍ରୀ ପଦର ଗୋପନୀୟତା ଶପଥ ପାଠ କରିବା ସହ ନିଜର ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଗଣ ମଧ୍ୟ ଶପଥ ନେବେ ।

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରିବା ପରେ ନବୀନ କହିଛନ୍ତି କି, ଓଡ଼ିଶାବାସୀଙ୍କ ପାଇଁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିଛି । ଶପଥ ନେବା ପୂର୍ବରୁ ମହାପ୍ରଭୁଙ୍କ ଆର୍ଶୀବାଦ ନେଲି , ଆସନ୍ତାକାଲି ୫ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବି ବୋଲି ନବୀନ କହିଛନ୍ତି ।