ମୁଁ ଶପଥ କରୁଛି…ମୁଁ ଜଣେ ଓଡିଆ ଭାବେ ଶପଥ କରୁଛି ଯେ… ନିଜେ ଜିତିବି, ମୋ ଓଡିଶା ଜିତିବ । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ସାରା ଓଡିଶାବାସୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ

892

କନକ ବ୍ୟୁରୋ: ଆଜି ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିଛି। କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରି ସମ୍ମାନ ଜଣାଇଛି ସାରା ଓଡ଼ିଶା। ୧ ମିନିଟ୍ ଲାଗି ଅଟକି ଯାଇଛି ଜୀବନଯାତ୍ରା। ରାସ୍ତଘାଟ, ଅଫିସ କଚେରି, ବଜାରଘାଟ ସବୁଠି ଲୋକେ କାମଛାଡ଼ି ନିରବରେ ଠିଆ ହୋଇ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟବାସୀ ଯିଏ ଯେଉଁଠାରେ ଥିଲେ ସେଠାରେ ଠିଆ ହୋଇ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ନିରବ ପ୍ରାର୍ଥ‌ନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କ ସହିତ ସାମିଲ ହୋଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ପୂରା ରାଜ୍ୟକୁ କୋଥଭିଡ୍ ଯୋଦ୍ଧାଙ୍କୁ ସହଯୋଗ ଓ ସମ୍ମାନ କରିବା ଲାଗି ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା ସହିତ ସେମାନଙ୍କ କାର୍ଯ୍ୟରେ ସହଯୋଗ ଏବଂ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରି ହୋଇଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ ପାଇଁ ସଂକଳ୍ପ ନିଆ ଯାଇଥିଲା। ଏହି ଶପଥରେ କୁହାଯାଇଥିଲା-

୧- ମୁଁ ଜଣେ ଓଡ଼ିଶାବାସୀ ଭାବରେ ଶପଥ କରୁଛି ଯେ କୋଭିଡ୍ ଯୋଦ୍ଧାଙ୍କୁ ପୂରା ସହଯୋଗ କରିବି ଓ ସମ୍ମାନ ଜଣାଇବି।
୨- କୋ ଭିଡ୍ ଲଢ଼େଇ ଆମ ସମସ୍ତଙ୍କର ଲଢ଼େଇ।
୩- ପ୍ରତିଟି ଲୋକର ଲଢ଼େଇ।
୪- ଏ ଲଢ଼େଇରେ ମୁଁ ବି ସାମିଲ୍
୫- କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ।
୬- ମୁଁ ନିଜେ କୋଭିଡ୍ ନିୟମାବଳୀ ପାଳନ କରିବି ଓ ଅନ୍ୟମାନଙ୍କୁ ଏଥିଲାଗି ସଚେତନ କରିବି।
୭- କରୋନା ବିରୁଦ୍ଧରେ ଲଢ଼େଇକୁ ମଜବୁତ୍ କରିବି।
୮- ମୁଁ ନିଜେ ଜିତିବି, ମୋ ଓଡ଼ିଶା ଜିତିବ ଏବଂ ମାନବ ଜାତି ବି ଜିତିବ

ତେବେ ମୁଖ୍ୟମନ୍ତ୍ରୀ ନିରବ ପ୍ରାର୍ଥନାର ଠିକ ୨ ମିନିଟ୍ ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ହେବା ପରେ କୋଭିଡ୍ ଯୋଦ୍ଧାମାନଙ୍କ ଅବଦାନ ଉପରେ ୨ ମିନିଟର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏହାପ‌ରେ ୧ ମିନିଟ୍ ଲାଗି ନିରବ ପ୍ରାର୍ଥନାା ଅନୁଷ୍ଠିତ ହୋଇଥିଲା। ୬.୦୧ ମିନିଟରେ ଓଡ଼ିଶାରେ କୋଭିଡ୍ ଯୁଦ୍ଧ ଓ ୨୫୦୦୦ରୁ ଅଧିକ ସୁସ୍ଥ ହେବାକୁ ନେଇ ୩ ମିନିଟର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଠିକ୍ ୬.୦୪ ମିନିଟରେ ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ୮ ସୂତ୍ରୀ ଶପଥ ପତ୍ର ପାଠ କରାଇଥିଲେ।

ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ, ଏହି ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ୍‌ ନିୟମାବଳୀର କଡ଼ାକଡ଼ି ପାଳନ ଲାଗି ଏହି ଶପଥପାଠ ଦାୟିତ୍ବବାନ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେବ। ଏଥିସହିତ କୋଭିଡ୍ ଯୋଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ତଥା ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଦାୟିତ୍ବ ପାଳନ କରିବା ପାଇଁ ଏହା ଶ୍ରେଷ୍ଠ ମାର୍ଗ ।