କନକ ବ୍ୟୁରୋ: ବର୍ଷିଆନ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟଙ୍କ ପରଲୋକରେ ସେ ଦୁଃଖିତ ଥିବା ଟ୍ୱିଟ୍ କରି ଲେଖିଛନ୍ତି । ଓଡିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଭେଟେରାନ କଳାକାରଙ୍କ ଦେହାନ୍ତରେ ରାଜ୍ୟପାଳଙ୍କ ସହ କେନ୍ଦ୍ରମନ୍ତ୍ରୀ ଏବଂ ସିନେ ଜଗତ ସହ ବହୁ ମାନ୍ୟଗଣ୍ୟ ନେତା ଶୋକ ପ୍ରକାଶ କରିଛନ୍ତି ।
ତେବେ ଆଜି ୭୦ ବର୍ଷ ବୟସରେ ଆଖି ବୁଜିଲେ ଓଡିଆ ସିନେ ଜଗତର ସ୍ୱନାମଧନ୍ୟ କଳାକାର । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ତଥା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଆଜି ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟ ।
ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) July 20, 2020
ବିଜୟଙ୍କ ପରଲୋକରେ ସ୍ତବ୍ଧ ହୋଇଛି ଓଡିଶା, ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ବିଜୟ ଥିଲେ ଓଡିଆ ସିନେ ଆକାଶର ଉଜ୍ଜଳ ତାରକା, ଏକ ଲମ୍ବା ମାଇଲ ଖୁଣ୍ଟ । ୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ହୋଇଥିଲେ ବିଜୟ । ସ୍ୁଲରେ ପଢିବା ଦିନ ଠାରୁ ବିଜୟଙ୍କ କଳା ପ୍ରତି ଅହେତୁକ ରୁଚି ଥିଲା ଆଉ ସେ ସେବେଠାରୁ ଅଭିନୟ କରିଆସୁଛନ୍ତି । ତେବେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ସେ ବଲିଉଡ ଅଭିନେତା ଓମ୍ ପୁରୀ, ନାସିରୁଦ୍ଦିନ ସାହାଙ୍କ ସହ ପାଠ ପଢୁଥିଲେ । ଦିଲ୍ଲୀରୁ ପାଠ ପଢା ସାରି ସେ ଓଡିଶାରେ ୧୯୭୫ରେ ପାଦ ଦେଇ ନାଟକରେ ମନୋନିବେଶ କରିଥିଲେ । ଆଉ ପରେ ୧୯୭୭ରେ ଜୀବନର ପ୍ରଥମ ଥର ପାଇଁ ସିନେମା ଜଗତରେ ପାଦ ଥାପିଥିଲେ ବିଜୟ ।
୧୯୭୭ରେ ଓଡିଆ ସିନେମା ‘ନାଗଫାଶ’ରୁ କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ‘ଚିଲିକା ତୀରେ’ରେ ମଧ୍ୟ ଅଭିନୟ କରିଥିଲେ ବିଜୟ । ତେବେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଥିବା ବିଜୟ ନାଗ ଫାସ, ସମୟ ବଡ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ ଏବଂ ଚକା ଆଖି ସବୁ ଦେଖୁଛି ଆଦିରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ବିଜୟ । ତେବେ ନାୟକ, ଖଳ ନାୟକ, କମେଡି, ପାଶ୍ୱର୍ ଅଭିନେତାରେ ନଜର ଆସିଛନ୍ତି ବିଜୟ । କ୍ୟାରିଅୟ ଆରମ୍ଭରୁ ୧୭୫ଟି ସିନେମାରେ ଅଭିନୟ କରିଛନ୍ତି ବିଜୟ । ଖାଲି ଅଭିନୟ ନୁହେଁ ରାଜନୀତିରେ ବି ରୁଚି ରଖିଥିଲେ ସେ । ୨୦୧୪ ଫେବୃୟାରୀ ୨୭ରେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ଲଢିଥିଲେ ।