କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୧ : ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଲେ, ଉନ୍ନତି ପଥେ ଆଗେଇ ଚାଲିଛି ଓଡିଶା

65

କନକ ବ୍ୟୁରୋ : କନକ ନ୍ୟୁଜରେ ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କହିଲେ ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ଗଣତାନ୍ତ୍ରିକ ସରକାର ସବୁବେଳେ ଲୋକଙ୍କ ଭଲ ପାଇଁ ଚିନ୍ତା କରିଥାଏ । ଓଡ଼ିଶା ଆଜି ବିକାଶ ଦିଗରେ ଆଗେଇଛି ।

ରାଜ୍ୟ ସରକାର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ସ୍ମାର୍ଟ ସ୍କୁଲରେ ୧ ହଜାର ସ୍କୁଲ ଯୋଡ଼ି ହେଲାଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କୁ ଉନ୍ନତମାନର ଶିକ୍ଷା ଦେବା ସରକାରଙ୍କ ଲକ୍ଷ । ସ୍ମାର୍ଟ ହେଲଥ କାର୍ଡ଼ରେ ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାର ଉପକୃତ ହେବେ । ମିଶନ ଶକ୍ତିରେ ମହିଳା ଉପକୃତ ହେଉଛନ୍ତି । ମହିଳାଙ୍କ ସାମାଜିକ ଜୀବନରେ ପରିବର୍ତ୍ତନ ଆସିଛି ।

ତେବେ, ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସ୍ୱାଗତ ଅଭିଭାଷଣରେ କହିଥିଲେ, ଓଡ଼ିଶାଏବେ ନବନିର୍ମାଣ ପଥରେ ଆଗେଇ ଚାଲିଛି ।ଓଡ଼ିଶା ଏବେ ଅନାହାର ଉପରେ ବିଜୟ ଲାଭ କରିଛି । କିନ୍ତୁ ବିକାଶ ଓ ନିର୍ମାଣ କ୍ଷେତ୍ରରେ ଆମେ ସମ୍ପୂର୍ଣ୍ଣ ସଫଳତା ପାଇନାହୁଁ । ନୀତି ଆୟୋଗ ବିକାଶର ଯେଉଁ ନୂଆ ମାପଦଣ୍ଡ ସ୍ଥିର କରିଛି ସେଥିରେ ଏବେ ନୂଆ ନୂଆ ଆହ୍ୱାନର ସାମ୍ନା କରିବାକୁ ପଡୁଛି । କ୍ଷୁଧା ଉପରେ ବିଜୟ ଲାଭ କରିବା ପରେ ଏବେ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ସ୍ମାର୍ଟ ହେଲଥ କାର୍ଡ ଓ ସ୍ମାର୍ଟ ସ୍କୁଲର ଅଭିଯାନ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଛି । ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି ନନ୍ଦ ସାର । ସେହିପରି ସମ୍ମାନିତ ହୋଇଛନ୍ତି ଭଦ୍ରକର ଛାୟାରାଣୀ ସାହୁ । ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିଥିବା ଛାୟାରାଣୀ କରୋନା ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଇଥିଲେ । ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ରେ ଯୁଗବ୍ରତ କର ସମ୍ମାନିତ ହୋଇଛନ୍ତି । ଓଡ଼ିଶା ପର୍ଯ୍ୟଟନକୁ ଯୁବ ଉଦ୍ୟୋଗୀ ଯୁଗବ୍ରତ ନୂଆ ରୂପ ଦେଉଛନ୍ତି । ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରୁଛନ୍ତି । ଅନ୍ୟପକ୍ଷରେ ଏମବିଏସ କମ୍ପାନିର ପ୍ରତିଷ୍ଠାତା ବସନ୍ତ କୁମାର ବିଷୋୟୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ମୃଦୁ ପାନୀୟ କ୍ଷେତ୍ରରେ ଓଡ଼ିଶାରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେହିପରି ହାଇଟେକର ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ପାଇଁ ସମ୍ମାନିତ ହୋଇଛନ୍ତି ।