‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ଆଇଆଇସିଙ୍କ କଥା ହେଲେ ମୁଖ୍ୟମନ୍ତ୍ରୀ । କହିଲେ, ଭଲ କାମ କର ସମୟ ପୂର୍ବରୁ ପଦୋନ୍ନତି ନିଅ ।

498

କନକ ବ୍ୟୁରୋ : ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ । ଲୋକସଭା ଭବନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଥାନା ଆଇଆଇସିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ଥାନାର ଆଇଆଇସିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ୬୩୫ ଜଣ ଆଇଆଇସି ସାମିଲ ହୋଇଥିବା ବେଳେ କିଛି ଆଇଆଇସିଙ୍କ ସହ ସିଧାସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଉ ଏହାସହ ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ଭଲ କାମ କଲେ ସମୟ ପୂର୍ବରୁ ପଦୋନ୍ନତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୭୩ ତମ ସ୍ୱାଧୀନତା ଦିବସରେ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୫-ଟିକୁ ଭିତ୍ତି କରି ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତରଦାୟିତ୍ୱ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ ।

ପ୍ରଥମ ପର୍ଯ୍ୟାୟରେ ଏହା ସବୁ ଥାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯିବ । ଥାନା ଓ ହସପିଟାଲରେ ଲୋକ କିପରି ସୁବିଧା ପାଉଛନ୍ତି ସେ ନେଇ ସିଧାସଳଖ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ସରକାରୀ ସେବାରେ ଉନ୍ନତି ଆସିବ ଏବଂ ଲୋକଙ୍କ ସହ ପ୍ରଶାସନର ସଂପର୍କକୁ ମଜବୁତ କରାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।