୩ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରବାସୀଙ୍କୁ ନବୀନଙ୍କ ଦୀପାବଳି ଭେଟି । ହସ୍ପିଟାଲ ଓ ଥାନା ଉପରେ ନବୀନଙ୍କ ଫୋକସ୍

1,086

କନକ ବ୍ୟୁରୋ : ୩ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି । ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ମେଡିକାଲ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର ୧୦ ଦିନ ମଧ୍ୟରେ ସମୀକ୍ଷା କରିବା ପରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗାନ୍ଧୀ ଜୟନ୍ତୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗତ ୧୦ ଦିନ ମଧ୍ୟରେ ୧୨୦ ଜଣଙ୍କ ସହ କଥା ହୋଇଥିବା କହିଛନ୍ତି ନବୀନ । ଆଉ ସାଧାରଣ ଲୋକଙ୍କର ପ୍ରତିକ୍ରିୟା ମଧ୍ୟ ଉତ୍ସାହଜନକ ରହିଥିବା କହିଛନ୍ତି ନବୀନ । ଖାସକରି ହସ୍ପିଟାଲ ଓ ପୋଲିସ ଥାନା ଉପରେ ଫୋକସ କରାଯାଇଥିଲା । ଆଉ ଏହି ସମୟରେ ୧୫ଟି ଜିଲ୍ଲା ବୁଲିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କହିଛନ୍ତି ନବୀନ ।

ମାଲକାନଗିରି ଜିଲ୍ଲା ମୁଖ୍ୟାଳୟର ବେଡ୍ ସଂଖ୍ୟା ୨୦୦କୁ ବୃଦ୍ଧି କରିବା ସହ ପ୍ରତିଦିନ ମାଲକାନଗିରିରୁ ମୋଟୁକୁ ବସ୍ ଚଳାଚଳ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ବେଡ୍ ସଂଖ୍ୟା ୨୫୦କୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ନବୀନ । ଏହାସହ ନୂଆ ୱାର୍ଡ ଗୁଡିକର କାର୍ଯ୍ୟ ଜୋରସୋରରେ ଚାଲୁଥିବା ବେଳେ ଦୁଇଟି ଆମ୍ବୁଲାନ୍ସ ଯୋଗାଇଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାଛଡା ଆଗାମୀ ୨ ବର୍ଷ ମଧ୍ୟରେ କୋରାପୁଟ ମେଡିକାଲ କଲେଜରେ ୭୦୦ ଶଯ୍ୟାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏପରିକିି ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡି ଯୋଗାଇଦେବାକୁ ଘୋଷଣା କରିଛନ୍ତି ନବୀନ ।

ନବରଙ୍ଗପୁର ଜିଲ୍ଲା ହସ୍ପିଟାଲ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି ନବୀନ । ହସ୍ପିଟାଲ ବେଡ୍ ସଂଖ୍ୟା ୨୦୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୦ ବେଡ୍ ବିଶିଷ୍ଟ ଆଉ ଏକ ନୂଆ ହସ୍ପିଟାଲ ବିଲ୍ଡିଂ ନିର୍ମାଣ କରାଯିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାଛଡା ୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ମଧ୍ୟ ନିଷ୍ପତି ନେଇଛନ୍ତି ନବୀନ ।