ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ୍ ଲିଡରଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ ।

172

କନକ ବ୍ୟୁରୋ: ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ ଲିଡର ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କ ମନୋନୀତ କରିଛନ୍ତି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ପରାମର୍ଶରେ ଏହି ପ୍ରକଳ୍ପ କାମ ଆଗକୁ ଯିବ । ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଂଚଳର ବିକାଶ ଓ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଡଭାଇଜରି କମିଟିରେ ସନ୍ତୃପ୍ତଙ୍କ ସହ ୧୯ ଜଣ ସଦସ୍ୟ ରହିବେ । ବର୍ତମାନ ସେ ଆଦିତ୍ୟ ବିର୍ଲା ଗ୍ରୁପ୍ର ମାନବ ସମ୍ବଳ ନିର୍ଦ୍ଦେଶକ ଓ କାର୍ବନ ବ୍ଲାକ୍ ଆଣ୍ଡ କେମିକାଲ୍ ବିଜିନେସ୍ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ।

କର୍ପୋରେଟ୍ ଜଗତରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି । ଭାରତୀୟ ଶିଳ୍ପ ଓ କର୍ପୋରେଟ୍ ଜଗତରେ ସନ୍ତୃପ୍ତ ମିଶ୍ର ବେଶ ଜଣାଶୁଣା । ଶିଳ୍ପ କ୍ଷେତ୍ରରେ ବଡ଼ ବଡ଼ ପ୍ରୋଜେକ୍ଟରେ ସେ କାମ କରିଛନ୍ତି । ଏକାମ୍ର ପ୍ରକଳ୍ପ ଭଳି ମହାତ୍ୱକାଂକ୍ଷୀ ପ୍ରକଳ୍ପରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଆଶା କରାଯାଉଛି । ଏହି ପଦବୀକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସନ୍ତୃପ୍ତ କହିଛନ୍ତି, ଏହା ତାଙ୍କ ପାଇଁ ଗୌରବର ବିଷୟ । ଏହାଦ୍ୱାରା ନିଜ ଦେଶ ଓ ରାଜ୍ୟ ପାଇଁ ସେ କିଛି କରିପାରିବେ । ଏହି ଐତିହାସିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ସେ ଏହାକୁ ସୁଚାରୁ ରୂପେ ତୁଲାଇବେ ଏବଂ ତାଙ୍କର ଅନୁଭୂତିକୁ କାର୍ଯ୍ୟରେ ଲଗାଇବେ ବୋଲି ସେ କହିଛନ୍ତି । ଏଭଳି ଏକ ପ୍ରକଳ୍ପରେ ସାମିଲ ହୋଇ ସ୍ୱତନ୍ତ୍ର ଅନୁଭୂତି ହାସଲ କରିବେ ବୋଲି ମଧ୍ୟ ସେ କହିଛନ୍ତି ।