ଉପକୂଳର ସବୁଜିମାକୁ ଗୁରୁତ୍ୱ । ସବୁଜବଳୟର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ ବର୍ଷିଆ ଯୋଜନା, ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା ।

86

କନକ ବ୍ୟୁରୋ: ଉପକୂଳ ଅଞ୍ଚଳରେ ସବୁଜବଳୟ ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ବର୍ଷିଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ମୋଟ୍ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଧାର୍ଯର୍୍ୟ ହୋଇଛି । ତେବେ ବାତ୍ୟା ‘ଫୋନି’ ଯୋଗୁ ଉପକୂଳ ଅଞ୍ଚଳର ବନ ସଂପଦର ବ୍ୟାପକ କ୍ଷତି ଏବଂ ସବୁଜିମା ନଷ୍ଟ ହୋଇଯାଇଛି । ଯାହାର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉପକୂଳ ସୁରକ୍ଷା ବଳୟର ପୁନଃରୁଦ୍ଧାର ଓ ବନୀକରଣ ଯୋଜନା କାର୍ଯ୍ୟକାରୀ ହେବ । ଏବଂ ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରୁ ଜଣାପଡ଼ିଛି ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ୮ ହଜାର ହେକ୍ଟର ପରିମିତ ଅଞ୍ଚଳର ବୃକ୍ଷରୋପଣ କରାଯିବ । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୨୦୧୮-୧୯ରେ ୬୫ଲକ୍ଷ ଚାରା ରୋପଣ ଓ ଆବଣ୍ଟନ କରାଯାଇଥିବାବେଳେ ୨୦୧୯-୨୦ରେ ଏହାକୁ ଦ୍ୱିଗୁଣିତ କରାଯାଇ ୧ କୋଟି ୩୦ ଲକ୍ଷ ଚାରା ଆବଣ୍ଟନ କରାଯିବ ବୋଲି ନିର୍ଦ୍ଧାରିତ କରାଯାଇଛି । ସହରାଞ୍ଚଳରେ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ ବର୍ଷ ମଧ୍ୟରେ ୫ ଲକ୍ଷ ବୃକ୍ଷରୋପଣ କରାଯିବ ।

ସବୁଠାରୁ ବଡ଼କଥା ହେଲା କି, ଉପୁଡ଼ି ଯାଇଥିବା କିନ୍ତୁ ବଞ୍ଚି ଯାଇଥିବା ୩୦ ହଜାର ଗଛର ପୁନଃରୁଦ୍ଧାର କରାଯିବ । ‘ଫୋନି’ କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କର ଜୀବିକାର ପୁନଃରୁଦ୍ଧାର ପାଇଁ ୧୨ ହଜାର ହେକ୍ଟର ଅଞ୍ଚଳରେ ଫଳ ଗଛ ଲଗାଯିବ । ଏହାସହିତ ୩ ବର୍ଷ ପାଇଁ ଇଣ୍ଟର-କ୍ରପିଙ୍ଗ୍ ପ୍ୟାକେଜ୍ ମଧ୍ୟ ଦିଆଯିବ । ୫ଲକ୍ଷ ଫଳ ଗଛ ଚାରା ଯୋଗାଇ ଦିଆଯିବା ସହିତ ଲୋକଙ୍କ ଘରବାଡ଼ିରେ ୪ ଲକ୍ଷ ନ୍ୟୁଟ୍ରୀ-ବଗିଚା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।