ବ୍ରହ୍ମପୁର ବସ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା, ଆହତଙ୍କ ମାଗଣା ଚିକିତ୍ସା ନିର୍ଦ୍ଦେଶ

728

କନକ ବ୍ୟୁରୋ: ବ୍ରହ୍ମପୁର ବସରେ କରେଣ୍ଟ ଲାଗି ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏମକେସିଜିରେ ୨୫ରୁ ଅଧିକ ଆହତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ତେବେ ବ୍ରହ୍ମପୁର ଛାତିଥରା ଦୁର୍ଘଟଣା କେମିତି ଓ କେଉଁ ପରିସ୍ଥିତିରେ ହେଲା । କରେଣ୍ଟ କାହିଁକି ଏତେ ତଳ ଦେଇ ଯାଇଥିଲା ତାର ତଦନ୍ତ କରିବାକୁ ନିର୍ଦ୍ଦଶ ଦିଆଯାଇଛି । ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତଦନ୍ତ ନିର୍ଦ୍ଦେଶ ବି ଦେଇଛନ୍ତି ।

ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସରେ ଭୟାନକ ଦୁର୍ଘଟଣା ହୋଇଛି । ତେବେ ବସରେ ୪୩ ଜଣ ଯାତ୍ରୀ ଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କ କରାଯାଉଛି । ସେପଟେ ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ନିର୍ବନ୍ଧ ପାଇଁ ଏକ ବସରେ ଢଙ୍କଲପାଡ ଗାଁର କିଛି ଲୋକ ଟିକଳପଡା ଗାଁକୁ ଯାଉଥିଲେ । ତେବେ ମେଲପତୁରୁ ଗାଁ ନିକଟରେ ବସିଟି ତଳକୁ ଓହଳିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଯାହାଦ୍ୱାରା ଘଟଣା ସ୍ଥଳରେ ହିଁ ଚାଲିଯାଇଛି ପାଖାପାଖି ୧୨ ଲୋକଙ୍କ ଜୀବନ । ତେବେ ମୃତକଙ୍କ ମଧ୍ୟରୁ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଏବଂ ୩ ଜଣ ଶିଶୁ ରହିଥିବା ଜଣାପଡିଛି । ପ୍ରାୟ ୩୦ ମିନିଟ୍ ପରେ ସ୍ଥାନୀୟ ଲୋକେ ବିଦ୍ୟୁତ ସରବରାହ ଛିହ୍ନ କରି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି