ଓଡି଼ଶାରୁ ୩୩% ମହିଳା ସଂସଦକୁ ଯିବେ । କେନ୍ଦ୍ରାପଡାରେ ମହିଳା କାର୍ଡ ଖେଳିଲେ ନବୀନ, କହିଲେ ଏହି ଘୋଷଣା ସାରା ଭାରତରେ ସୃଷ୍ଟି କରିବ ଇତିହାସ । 

220

କନକ ବ୍ୟୁରୋ : କେନ୍ଦ୍ରାପଡାରେ ମହିଳା କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରାପଡାରେ ଆୟୋଜିତ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାସମାବେଶରେ ସାମିଲ ହେବା ସହ କେନ୍ଦ୍ରାପଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଓଡି଼ଶାରୁ ୩୩% ମହିଳା ସଂସଦକୁ ଯିବେ ।

ମହିଳାଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ନବୀନ ପଟ୍ଟନାୟକ । ଓଡିଶାରୁ ୩୩ ପ୍ରତିଶତ ମହିଳାଙ୍କୁ ସଂସଦ ପଠାଯିବ । ବଳଦେବଜୀଉଙ୍କ ମାଟିରୁ ଏହି ଘୋଷଣା ସାରା ଭାରତରେ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣ  କ୍ଷେତ୍ରରେ ଓଡିଶା, ସାରା ଦେଶକୁ ବାଟ ଦେଖାଇବ । ମହିଳା ସଶକ୍ତିକରଣ ପାଇଁ ଜାତୀୟ ଦଳ ଯାହା କହୁଛନ୍ତି, ତାହା ପାଳନ କରନ୍ତୁ ବୋଲି ନବୀନ କହିଛନ୍ତି । ସଂସଦରେ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଜେଡି ଆଲୋଚନା କରିଥିବା କହିଛନ୍ତି ନବୀନ ପଟ୍ଟନାୟକ । ସେହିପରି ମିଶନ ଶକ୍ତି ଭବନ ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଂଜୁର କରିଥିବା ସମାବେଶରେ ଘୋଷଣା କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରାପଡାର ମାଟି ବିଜୁ ବାବୁଙ୍କ ମାଟି । ୧୯୯୦ରେ ବିଜୁ ବାବୁ ସାରା ଭାରତକୁ ବାଟ ଦେଖାଇଥିଲେ । ତେବେ ଏହି ଅବସରରେ ମାଛ ଚାଷ କରୁଥିବା କିଛି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରିଛନ୍ତି ନବୀନ ପଟ୍ଟନାୟକ । ଏହା ସହ ବ୍ଲକ ସ୍ତରୀୟ ମହାସଂଘ ମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।