କରୋନା ମୁକାବିଲା : ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତି ପଞ୍ଚାୟତରେ ଗରିବ ଲୋକଙ୍କୁ ଦିଆଯିବ ରନ୍ଧାଖାଦ୍ୟ, ପଞ୍ଜୀକୃତ ଉଠାଦୋକାନୀଙ୍କୁ ମିଳିବ ୩୦୦୦ ଟଙ୍କା ଆର୍ଥିକ ସହାୟତା ।

1,966

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଗତକାଲି ରାଜ୍ୟ ସରକାର ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଆଉ ଏକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଲାବନ୍ଦ ପାଇଁ ଗରିବ ଓ ଶ୍ରମିକ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହେଉଥିବାରୁ ଏଣିକି ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏସଏଚଜି ମହିଳାଙ୍କ ଦ୍ୱାରା ଏହି ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ସେହିଭଳି ଲୋକମାନେ ଚାହିଁଲେ ରନ୍ଧାଖାଦ୍ୟ ଘରକୁ ନେଇ ମଧ୍ୟ ଖାଇପାରିବେ ।

ଏହାବାଦ ତାଲାବନ୍ଦ ଯୋଗୁଁ ଉଠାଦୋକାନୀ ଅଧିକ ପ୍ରଭାବିତ ହୋଇଥିବାରୁ ୧୧୪ଟି ସହରାଞ୍ଚଳରେ ଥିବା ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପଞ୍ଜୀକୃତ ହୋଇଥିବା ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଏହାଦ୍ୱାରା ପଞ୍ଜୀକୃତ ହୋଇଥିବା ୬୫ ହଜାର ଉଠା ଦୋକାନୀ ଲାଭ ପାଇବେ । ଶେଷର ସମସ୍ତଙ୍କୁ ଘରେ ରହି କରୋନାକୁ ହରାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।