କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଓ ବୈଠକ ଭତ୍ତାରେ ବୃଦ୍ଧି । ନବୀନଙ୍କ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା ମଧ୍ୟ ୩୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ ଦୈନିକ ଭତ୍ତା ମଧ୍ୟ ୩୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ସେହିଭଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନେ ୩,୫୩୦ ଟଙ୍କା ପାଉଥିଲେ । ଏବେ ୧୫,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷମାନେ ପୂର୍ବରୁ ପାରିତୋଷିକ ୨,୩୫୦ ଟଙ୍କା ପାଉଥିଲେ । ଏବେ ୭,୫୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ଏବେ ୭,୫୦୦ ଟଙ୍କା ପାଇବେ। ସେହିଭଳି ସରପଞ୍ଚମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ପାଇବେ। ନାଏବ ସରପଞ୍ଚମାନେ ପୂର୍ବରୁ ୯୪୦ ଟଙ୍କା ପାଉଥିବା ବେଳେ ଏବେ ୪,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ,ଉପାଧକ୍ଷ ,ପଞ୍ଚାୟତ ସମିତି ସଭ୍ୟ , ସରପଞ୍ଚ ନାଏବ ସରପଞ୍ଚ ଏବଂ ୱାର୍ଡମେମ୍ବରମାନଙ୍କର ଦୈନିକ ଭତ୍ତା ୨୪୦ ଟଙ୍କାରୁ ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ ଏବେ ୨୪୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏଥିପାଇଁ ୧୬୨.୬୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ। ଏହା ବ୍ୟତୀତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପଦବୀରେ ଥିବା ସମୟରେ ବିୟୋଗ ଘଟିଲେ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ୨ ଲକ୍ଷ ଟଙ୍କା ମିଳିବ । ଏହା ସହିତ ଦୂର୍ଘଟଣାଜନିତ ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିପରି ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ।
ସୂଚନାଯୋଗ୍ୟ ଯେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କୁ ଭେଟି ଏହି ପାରିତୋଷିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଯେଉଁ ଦାବିକୁ ଆଜି ପୂରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/17-11.jpg)