ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା, ଉପକୃତ ହେବେ ରାଜ୍ୟର ୬,୯୪୪ ସାମ୍ବାଦିକ ।

240

କନକ ବ୍ୟୁରୋ : ସାମ୍ବାଦିକ ହେଲେ କରୋନା ଯୋଦ୍ଧା । ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଆଜି ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜୀକୃତ ହୋଇଥିବା ସାମ୍ବାଦିକ ଏହି ଘୋଷଣାରେ ଉପକୃତ ହେବେ । ଏହା ଅଧୀନରେ ୨ ଲକ୍ଷ ଟଙ୍କାର ବାର୍ଷିକ ବୀମା ସାମ୍ବାଦିକଙ୍କୁ ମିଳୁଥିଲା । ଏହାଛଡା ନିଜ କାର୍ଯ୍ୟକୁ ସମ୍ପାଦନ କରୁଥିବା ସମୟରେ ଯଦି କୌଣସି ସାମ୍ବାଦିକ କୋଭିଡରେ ପ୍ରାଣ ହରାଉଛନ୍ତି ତେବେ ସେମାନଙ୍କ ସମ୍ପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ବି ମିଳୁଥିଲା ।

ସାମ୍ବାଦିକ ହେଲେ କରୋନା ଯୋଦ୍ଧା ! ୬୯୪୪ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଦେବେନ୍ଦ୍ର ସାମନ୍ତରାୟ, ସମ୍ବାଦ । ପ୍ରୀତିମାନ ମହାପାତ୍ର, ଟାଇମସ ଅଫ୍ ଇଣ୍ଡିଆ । ମାନସ ଜୟପୁରିଆ, ଜୀ କଳିଙ୍ଗ । ଅମଜାଦ ବାଦଶାହ, ଏନଏଫଟିଭି । ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଏମିତି ଅନେକ ସାମ୍ବାଦିକ ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ପ୍ରାଣ ହରାଇବା ପରେ ରାଜ୍ୟ ସରକାର ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟରେ କାର୍ଯ୍ୟରତ ଥିବା ୬୯୪୪ ସାମ୍ବାଦିକ ଏହାଦ୍ୱାରା ଉପକୃତ ହେବେ । ଏସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି

– କରୋନା ସମୟରେ ସାମ୍ବାଦିକ ଅବିରତ ଭାବେ କାର୍ଯ୍ୟ କରି ଲୋକଙ୍କ ନିକଟକୁ ନିରନ୍ତର ଖବର ପହଁଚାଉଛନ୍ତି
– ଏଭଳି କଷ୍ଟକର ସମୟରେ ଲୋକଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରି ଚାଲିଛନ୍ତି
– ରାଜ୍ୟର କରୋନା ବିରୋଧରେ ଚାଲିଥିବା ଲଢେଇରେ ସାମ୍ବାଦିକ ଏକ ପ୍ରମୁଖ ଅଙ୍ଗ

ଅନୌପଚାରିକ ଭାବେ ଆମ ପ୍ରତିନିଧି ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଥିବା ତଥ୍ୟ ଅନୁସାରେ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ୧୨ ଜଣ ସାମ୍ବାଦିକ ପ୍ରାଣ ହରାଇ ସାରିଲେଣି । ଯେତେବେଳେ କି ପ୍ରଥମ ଲହରରେ ଏହି ସଂଖ୍ୟା କମ୍ ଥିଲା ।

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଂଜୀକୃତ ହୋଇଥିବା ୬୯୪୪ ସାମ୍ବାଦିକ ରାଜ୍ୟ ସରକାରଙ୍କ ଏହି ଘୋଷଣାରେ ଉପକୃତ ହେବେ । ଏହା ଅଧୀନରେ ୨ ଲକ୍ଷ ଟଙ୍କାର ବାର୍ଷିକ ବୀମା ସାମ୍ବାଦିକଙ୍କୁ ମିଳୁଥିଲା । କେବଳ ଏତିକି ନୁହେଁ ନିଜ କାର୍ଯ୍ୟକୁ ସମ୍ପାଦନ କରୁଥିବା ସମୟରେ ଯଦି କୌଣସି ସାମ୍ବାଦିକ କୋଭିଡରେ ପ୍ରାଣ ହରାଉଛନ୍ତି ତେବେ ସେମାନଙ୍କ ସଂପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ବି ମିଳୁଥିଲା ।

ମିଳିଥିବା ସୂଚନା ଅନୁସାରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରି ସାମ୍ବାଦିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ଦେବା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଛି । ଖୁବଶୀଘ୍ର ରାଜ୍ୟ ସରକାର ଏବଂ ବିଏମସି ଅଧୀନସ୍ଥ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇପାରେ ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ, ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ଏହା ସାମ୍ବାଦିକଙ୍କ ପାଇଁ ଯଥେଷ୍ଟ ସହାୟକ ହେବ । ସେହିଭଳି ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରମାଣିତ କରୁଥିବା କହିଛନ୍ତି ମାନସ ।