‘ଫୋନି’ ପରେ ସ୍ଥିତି ସମୀକ୍ଷା ! ପୁରୀରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ସେପଟେ ଗ୍ରାଉଣ୍ଡ ଜିରୋରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

162

କନକ ବ୍ୟୁରୋ: ବାତ୍ୟା ‘ଫୋନି’ ରାଜ୍ୟରେ ତାଣ୍ଡବ ଲୀଳା କରି ସବୁ ଛାରଖାର କରିଦେଇଛି । ବିଶେଷ କରି ପୁରୀ ଓ ଭୁବନେଶ୍ୱରରେ ବାତ୍ୟା ଫୋନି ଏମିତି ତାଣ୍ଡବ ରଚିଛି ଯେ, ନ ଦେଖିବା ଲୋକ କେବେ ବିଶ୍ୱାସ କରିବେ ନାହିଁ । ଏବେ ଶ୍ରୀହୀନ ହୋଇ ପଡ଼ିଛି, ଏବଂ ଚାରିଆଡ଼ ଏବେ ଖାଲି ଅନ୍ଧକାରମୟ ହୋଇ ଉଠିଛି । ତେବେ ବର୍ତ୍ତମାନ କେଉଁଠି କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର ଆକଳନ କରିବା କାଠିକର ହୋଇପଡ଼ିଛି । ତେଣୁ ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ।

ଗତ ୩ ତାରିଖରେ ତାଣ୍ଡବ ରଚିଥିବା ‘ଫୋନି’ ପରେ ମୁଖ୍ୟମନ୍ତ୍ରୀ ଗତକାଲି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ । ଏବଂ ଫୋନି ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଥିବା ପୁରୀର ପେଣ୍ଠକଟା ଓ ତାଳବଣିଆ ଅଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ବାତ୍ୟା ପ୍ରଭାବିତ ଲୋକଙ୍କୁ ଭେଟି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁରୀ ଗସ୍ତରେ ଯାଇ ସ୍ଥିତି ପରଖିଛନ୍ତି । ସକାଳୁ ସକାଳୁ ଧର୍ମେନ୍ଦ୍ର ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହାପରେ ପୁରୀର ପେଣ୍ଠକଟା ଓ ତାଳବଣିଆ ଅଞ୍ଚଳ ଗସ୍ତ କରି ସେଠାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କୁ ମବେଦନା ଜଣାଇବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଧର୍ମେନ୍ଦ୍ର । ଏହାସହ ପୁରୀ ଜିଲ୍ଲାପାଳ ଓ ବିିଭିନ୍ନ ବରିଷ୍ଠ ଅଧିକାରୀମାନଙ୍କ ସହ ପୁନଃରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧିନରେ ଥିବା ପୁରୀ, ଭୁବନେଶ୍ୱର ଓ କଟକର ସମସ୍ତ ପେଟ୍ରୋଲ ପମ୍ପ ମାନଙ୍କରେ ଲୋକମାନଙ୍କୁ ଉପଯୁକ୍ତ ପରିମାଣରେ ପେଟ୍ରୋଲ, ଡ଼ିଜେଲ ଯୋଗାଇଦେବାକୁ ନିର୍ଦ୍ଦେଶ ରହିଛି ।