ବିମାନବନ୍ଦରରେ ଭେଟ ହୋଇଗଲେ ନବୀନ-ଧର୍ମେନ୍ଦ୍ର । କିଛି ମୁହୂର୍ତ୍ତର ଦେଖା ଚାହାଁ, ଦେଲେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର ବାର୍ତ୍ତା ।

2,263

କନକ ବ୍ୟୁରୋ: ୧୯ ମହାଯୁଦ୍ଧ ଶେଷ ଲଢ଼େଇର ଦିନକ ପରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ଦିଲ୍ଲୀ ବିମାନବନ୍ଦରରେ ରାଜ୍ୟର ଦୁଇ ହେଭିୱେଟ୍ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦେଢ଼ ମାସ ଧରି ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଥିବା ଏହି ଦୁଇ ଶୀର୍ଷ ନେତାଙ୍କ ଭେଟ୍ ଘାଟ୍ ରାଜ୍ୟ ରାଜନୀତିର ପାରଦ ବଢ଼ାଇ ଦେଇଛି । କାରଣ ଦିଲ୍ଲୀ ବିମାନବନ୍ଦରର ପ୍ରସ୍ଥାନ ଦ୍ୱାର ଦେଇ ଉଭୟ ନବୀନ ଓ ଧର୍ମେନ୍ଦ୍ରଙ୍କୁ ସାଥି ହୋଇ ବାହାରୁଥିବା ଦେଖିବାକୁ ମିଳିଛି ।

ଏପରିକି ଉଭୟ ରାଜନୈତିକ ମୈଦାନରେ ‘ଶତ୍ରୁ’ ଭଳି ରହିଥିଲେ ମଧ୍ୟ ଯେବେ ଦୁହେଁ ବିମାନବନ୍ଦରରେ ଭେଟ ହେବାପରେ ପରସ୍ପର କରମର୍ଦ୍ଦନ କରିଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଖାଲି ଏତିକି ନୁହେଁ ନବୀନଙ୍କୁ ଦେଖିବା ପରେ ଧର୍ମେନ୍ଦ୍ର ପ୍ରଧାନ ନମସ୍କାର ଜଣାଇଥିଲେ । ନବୀନ ସ୍ମିତହାସ୍ୟ ସହ ଧର୍ମେନ୍ଦ୍ରଙ୍କ ସହ କରମର୍ଦ୍ଦନ କରିଥିଲେ । କେବଳ ଏତିକି ନୁହେଁ, ଧର୍ମେନ୍ଦ୍ର ନବୀନଙ୍କୁ ବିମାନବନ୍ଦରର ପାର୍କିଂ ସ୍ଥାନରେ ଥିବା ବ୍ୟାଟେରି ଚାଳିତ ଗାଡ଼ିରେ ବସାଉଥିବା ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ଉଭୟଙ୍କ ମଧ୍ୟରେ କିଛି ମିନିଟ୍ ଧରି ଆଲୋଚନା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ସବୁଠାରୁ ରୋଚକ ବିଷୟ ହେଲା ଯେ, ଠିକ୍ ଗୋଟିଏ ଦିନ ପୂର୍ବରୁ ରାଜ୍ୟ ରାଜନୀତିର ଯେଉଁ ଦୁଇ ହେଭିୱେଟ୍ ପରସ୍ପର ବିରୁଦ୍ଧରେ ଯୁଦ୍ଧଂଦେହୀ ଡ଼ାକରା ଦେଉଥିଲେ , ଏବେ ସେମାନଙ୍କ ଭେଟ୍ ଘାଟ୍ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଆଉ ଯେବେ ଉଭୟ ଭେଟ ହୁଅନ୍ତି ରାଜନୈତିକ ମନୋମାଳିନ୍ୟ ଥିଲେ ମଧ୍ୟ ପରସ୍ପରକୁ ସମ୍ନାନ ଜଣାଇବା ଘଟଣା ଏକ ରାଜନୈତିକ ସୁସ୍ଥ ବାତାବରଣର ଉଦାହରଣ ଦେଉଛି ।