ନୂଆ ଟିମଙ୍କୁ ନବୀନଙ୍କ ମନ୍ତ୍ର । 5-Tକୁ ଗୁରୁତ୍ୱ ଦେଇ କାର୍ଯ୍ୟ କର, ଠିକ୍ ବର୍ଷକ ପରେ ପ୍ରତିଶ୍ରୁତି ପୂରଣ ନେଇ ହିସାବ ଦେବେ ରାଜ୍ୟ ସରକାର ।

689

କନକ ବ୍ୟୁରୋ: ପଞ୍ଚମ ପାଳିର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ନୂଆ ମନ୍ତ୍ରିମଣ୍ଡଳ ଟିମକୁ ନବୀନଙ୍କ 5-T ମନ୍ତ୍ର ଦେଇଛନ୍ତି । ପଞ୍ଚମ ପାଳିର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ନବୀନ କହିଛନ୍ତି କି, ପୂର୍ବ ସରକାରରେ ଯେଉଁଭଳି ୩-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ ଏବେ ନୂଆ ସରକାରରେ ଏହାକୁ ଅଧିକ କ୍ରୀୟାଶୀଳ କରି ୫-ଟିକୁ ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ୩-ଟି ଯଥା ଟିମୱାର୍କ, ଟ୍ରାନ୍ସପରେନ୍ସି ଏବଂ ଟେକ୍ନୋଲୋଜୀରେ ନୂଆ ଦୁଇଟି ଦିଗ ଯଥା- ଟ୍ରାନ୍ସଫରମେସନ୍ ଏବଂ ଟାଇମକୁ ଗୁରୁତ୍ୱ ଦେଇ କାର୍ଯ୍ୟ ତୁଲାଇବାକୁ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାଢ଼େ ୪ କୋଟି ଓଡ଼ିଆ ଆମ ଉପରେ ଆଶୀର୍ବାଦ କରି ପୁଣିଥରେ ତାଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି । ତେଣୁ ତାଙ୍କ ବିଶ୍ୱାସ ରଖି ମିଳିମିଶି ତାଙ୍କ ସେବା କରିବା ଆମର ମୂଳ ଏଜେଣ୍ଡା ବୋଲି କହିଛନ୍ତି ନବୀନ ।

ବର୍ତ୍ତମାନ ଯୁଗରେ ସମୟ ବଡ଼ ମୂଲ୍ୟବାନ କାରଣ ଆଜିର ଯୁବପିଢ଼ୀ ଶୀଘ୍ର ଅଥବା ତତ୍ପରତା ଉପରେ ବିଶ୍ୱାସ କରନ୍ତି । ଯଦି ଆମେ ‘ବାତ୍ୟା ଫୋନିରେ ଉଦ୍ଧାର କାର୍ଯ୍ୟ ସଠିକ ସମୟରେ କରିପାରିଲେ, ମାତ୍ର ୯୦ ଦିନ ମଧ୍ୟରେ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍ ସଫଳତା ସହ ତୁଲାଇଲେ, ମାତ୍ର ୧୫ ଦିନ ମଧ୍ୟରେ କାଳିଆ ଯୋଜନାରେ ଚାଷୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆଣି ଜାତୀୟସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଲେ ଏବଂ ମାତ୍ର ୩୦ ଦିନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓଡ଼ିଆ ଲୋକଙ୍କ ସ୍ୱାସ୍ଥ୍ୟସେବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇପାରିଲା ତେବେ ବର୍ତ୍ତମାନ ଆମ ସରକାରଙ୍କୁ ତାହାଠୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି ନବୀନ ।

ବର୍ତ୍ତମାନ ଠାରୁ ଆମ ହାତରେ ୩୬୫ ଦିନ ରହିଲା ଠିକ୍ ୨୦୨୦ ମେ’ ୨୯ରେ ବିଜେଡି ସରକାରଙ୍କ ଘୋଷଣା କରିଥିବା ଇସ୍ତାହାରରେ କେଉଁ ପ୍ରତିଶ୍ରୁତି ପାଳନ କରିଛି ତାହାର ଉପସ୍ଥାପନ କରିବ ବୋଲି ମନ୍ତ୍ରୀଗଣଙ୍କୁ କହିଛନ୍ତି ନବୀନ । ଏହାରି ମଧ୍ୟରେ ଅନେକ ପ୍ରତିଶ୍ରୁତି କିଛି ସମୟ ନେଇପାରେ ହେଲେ ନୂଆ ଟିମ୍ ନୂଆ ଆଶା ଭରସା ନେଇ ନିଜର ସମସ୍ତ ପ୍ରଚେଷ୍ଟା କରି ପ୍ରତିଶ୍ରୁତି ପୂରଣ କରିବାକୁ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ନବୀନ କହିଛନ୍ତି କି, ନୂଆ ଓଡ଼ିଶା ଗଠନ କରିବାଳ ସଶକ୍ତ ଓଡ଼ିଶା ଗଢ଼ିବା । ଯେଉଁଠାରେ ଲୋକଙ୍କ ସୁବିଧା ସୁଯୋଗ ଦୁର୍ବଳ ରହିଛି ସେଠାରେ ସମସ୍ତ ସମସ୍ୟା ସମାଧାନ କରିବା  ଆମର ପ୍ରଥମ ଦାୟିତ୍ୱ । ଏହାସହ ଓଡ଼ିଆ ଯୁବପିଢ଼ୀଙ୍କ ସ୍ୱପ୍ନ ସାକାର କରିବା ସହ ଏବେ ସମୟ ଆସିଛି ଓଡ଼ିଶାକୁ ଏଭଳି ଏକ ନୂଆ ଓଡ଼ିଶାରେ ପରିଣତ କରିବା ଯେମିତି ବିଶ୍ୱ ଦରବାରରେ ଓଡ଼ିଶାର ଗାରିମା ଉଚ୍ଚରେ ରହିବ । ତେଣୁ ଆମ ସମୟ ଏବେଠାରୁ ଆରମ୍ଭ ବୋଲି ମନ୍ତ୍ରିମଣ୍ଡଳଙ୍କୁ କହିଛନ୍ତି ନବୀନ ।