‘ଫୋନି’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଭୟଭୀତ ନହୋଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

300

କନକ ବ୍ୟୁରୋ: ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’ । ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ବାତ୍ୟାରେ ବିପନ୍ନ ହେବାର ସମ୍ଭାବନା ଥିବା ଲୋକମାନଙ୍କୁ ଯୁଦ୍ଧକାଳୀନ ରୀତିରେ ସ୍ଥାନାନ୍ତର କରାଇବାକୁ ଜିଲ୍ଲା ପ୍ରଶାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରିଲିଫ୍ ଯୋଗାଇ ଦେବାକୁ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆସନ୍ନ ସାମୁଦ୍ରିକ ବାତ୍ୟାକୁ ମୁକାବିଲା କରିବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବାତ୍ୟା ‘ଫୋନି’ ଧିରେ ଧିରେ ଉଗ୍ର ହେଉଥିବା ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ଯାହାକି ସାରା ରାଜ୍ୟକୁ ଡ଼ରାଉଛି ଆଉ ଲୋକଙ୍କ ମନରେ ଭୟ ଘାରିଛି । ଏପରିକି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରାଯାଇଛି । ଆଉ ଯେଉଁ ସବୁ ଜିଲ୍ଲାକୁ ‘ଫୋନି’ ଅଧିକ ପ୍ରଭାବିତ କରିପାରେ ସେଗୁଡ଼ିକ ହେଲା- ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼ । ଅନ୍ୟପଟେ ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ମୁତାବକ, ସାମୁଦ୍ରିକ ଝଡ଼ ‘ଫୋନି’ ଆଜି ଉତ୍ତରପଶ୍ଚିମ ଦିଗରେ ଗୋପାଳପୁର ଓ ଚାନ୍ଦବାଲିକୁ ଛୁଇଁବା ପରେ ଏହା ୩ ତାରିଖକୁ ଦକ୍ଷିଣ ଦିଗ ପୁରୀ ଆଡ଼େ ମୁହାଁଇବ । ତେବେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଳାରେ ପବନର ବେଗ ଘଣ୍ଟା ପ୍ରତି ୧୭୦ କିଲୋମିଟର ବହିବାକୁ ଥିବା ବେଳେ ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ୧୩୦ କିଲୋମିଟର ବେଗରେ ପବନ ବହିବ।