କନକ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ଫେରିଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗସ୍ତର ଦ୍ୱିତୀୟ ଦିନରେ ଗୌଡିୟ ମଠ ପରିଦର୍ଶନ କରି ପ୍ରଭୁପାଦଙ୍କୁ ଆରତି କରିବା ସବ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଭକ୍ତି ମାର୍ଗର ଅଗ୍ରୀଣ ପଥ ପ୍ରଦର୍ଶକ ଚୈତନ୍ୟଙ୍କ ମାର୍ଗକୁ ସେବା ଓ ଶାନ୍ତିର ମାର୍ଗ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ ।
ଶ୍ରୀକ୍ଷେତ୍ରରେ ବିଶ୍ୱ ବୈଷ୍ଣବ ସମ୍ମିଳନୀ । ସାମିଲ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ଗସ୍ତର ଦ୍ୱିତୀୟ ଦିନରେ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶରଧାବାଲିରେ ଆୟୋଜିତ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ସହ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ।
ଶ୍ରୀମଦ୍ ଭକ୍ତିସିଦ୍ଧାନ୍ତ ଗୌଡୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି । ସମ୍ମିଳନୀକୁ ସମ୍ବୋଧିତ କରି କୋବିନ୍ଦ କହିଛନ୍ତି, ବିଶ୍ୱ କରୋନା ମହାମାରୀରୁ ଶୀଘ୍ର ମୁକ୍ତ ହେଉ ବୋଲି ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି ।
ରାଜଭବନରୁ କଡା ସୁରକ୍ଷାରେ ଗୌଡୀୟ ମଠ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ସେଠାରେ ପ୍ରଭୁପାଦଙ୍କୁ ଆରତି କରିବା ସହ ଚତୁର୍ଦ୍ଧା ମୂରତୀ, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରି ପୁଷ୍ପାଞ୍ଜଳି ଦେଇଥିଲେ । ଏହାପରେ ଶରଧାବାଲିରେ ଆୟୋଜିତ ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ସାମିଲ ହୋଇଥିଲେ । ସମ୍ମିଳନୀ ସମାପନ ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଆସିଥିଲେ ଭୁବନେଶ୍ୱର । ବିମାନ ବନ୍ଦରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଦାୟ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତକୁ ଆଖିରେ ରଖି ବ୍ଲୁ ବୁକ ସୁରକ୍ଷା ବ୍ୟବସ୍ଥା ଅନୁସାରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । ଗସ୍ତ ଯୋଗୁଁ ସର୍ବସାଧାରଣ ଓ ବ୍ୟବସାୟୀ ଅସୁବିଧା ଭୋଗିଥିବାରୁ କ୍ଷମା ମାଗିଛନ୍ତି ରାଷ୍ଟ୍ରପତି । ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ରାଷ୍ଟ୍ରପତି ବାୟସେନାର ସ୍ୱତନ୍ତ୍ର ବିମାନରେ ଭାଇଜାଗ ଯାଇଛନ୍ତି ।