ବଦଳିଛି ଓଡିଶା ! ନିର୍ବାଚନୀ ସଭାରୁ ନବୀନଙ୍କ ପ୍ରଶ୍ନ, ପର ଉପରେ ନିର୍ଭର କରୁଥିବା ଓଡିଶା ଆଜି ଅନ୍ୟ ରାଜ୍ୟକୁ ବଢାଇଲାଣି ସହାୟତାର ହାତ, ଏହା କଣ ପରିବର୍ତ୍ତନ ନୁହେଁ?

409

କନକ ବ୍ୟୁରୋ: ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ଆଜି ପୁଣି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନୟାକ । ବିଭିନ୍ନ ସ୍ଥାନରେ ରୋଡ ସୋ କରିବା ସହ ଦଳୀୟସଭାରେ ସାମିଲ ହୋଇଛନ୍ତି ନବୀନ । ଏହିକ୍ରମରୁ ନିର୍ବାଚନୀ ସଭାମଂଚରୁ ବିରୋଧୀଙ୍କ ପ୍ରତି କଡା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ । ସେ ନିଆଳି, ରାହାମା ଏବଂ ଜଗତସିଂହପୁରରେ ପ୍ରଚାର ଆରମ୍ଭ କରିଛନ୍ତି । ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ବିରୋଧୀଙ୍କୁ ଆଇନା ଦେଖାଇଛନ୍ତି ନବୀନ । ବିରୋଧୀଙ୍କ ମୁହଁରେ ସବୁବେଳେ ଓଡିଶା ଏକ ଗରିବ ରାଜ୍ୟର ଉପାଖ୍ୟାନର ଜବାବ, ଉଦାହରଣ ଦେଇ ବୁଝାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୯୯୯ ବେଳର କଥା ଉଠାଇ ନବୀନ ପ୍ରମାଣ କରିଦେଇଛନ୍ତି କି ସେତେବେଳର ଓଡିଶା ଆଉ ଆଜିର ଓଡିଶା ଭିତରେ କିଭଳି ଆକାଶ ପାତାଳ ତଫାତ୍ ରହିଛି । ୧୯୯୯ର ମହାବାତ୍ୟାରେ ଛାରଖାର ହୋଇଯାଇଥିବା ଓଡିଶା ଆଜି କିଭଳି ନିଜ ବଳରେ ଠିଆ ହୋଇପାରିଛି । ଅନ୍ୟ ରାଜ୍ୟରେ ନିର୍ଭର କରୁଥିବା ଓଡିଶା ଆଜି କିଭଳି ଅନ୍ୟ ରାଜ୍ୟକୁ ସାହାଯ୍ୟର ହାତ ବଢାଇପାରୁଛି ତାହା ଗୋଟି ଗୋଟି କରି ହିସାବ ଦେଇଛନ୍ତି ନବୀନ ।

୧୯୯୯ ମହାବାତ୍ୟାରେ ଗଭୀର ମାତ୍ରାରେ ଛାରଖାର ହୋଇଯାଇଥିବା ଓଡିଶା ଏବଂ ଓଡିଶାରେ ଲୋକମାନଙ୍କ ପାଖରେ ମୁଠାରେ ଖାଇବାକୁ ଦାନା ନଥିଲା । ଏଭଳି ପରିସ୍ଥିତିରେ ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭିର କରିବାକୁ ପଡୁଥିଲା । ହେଲେ ଆଜି କିନ୍ତୁ ସେ ଅବସ୍ଥା ନାହିଁ । ଓଡିଶା ଆଜି ପ୍ରଗତି ପଥେ ଆଗେଇ ଚାଲିଛି । କେରଳ ଭଳି ରାଜ୍ୟ ତଥା ଅନ୍ୟ ରାଜ୍ୟମାନଙ୍କୁ ସାହାର୍ଯ୍ୟ କରୁଛି । ଏହା କଣ ପରିବର୍ତ୍ତନ ନୁହେଁ ବୋଲି ପ୍ରଶ୍ନ କରି ବିରୋଧୀଙ୍କୁ ତେରେଣା ବାଣ ମାରିଛନ୍ତି ନବୀନ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିନ ଥିଲା ଓଡଶା ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା କିନ୍ତୁ ଆଜିର ଦିନରେ ଓଡିଶା ଅନ୍ୟ ରାଜ୍ୟକୁ ଚାଉଳ ଯୋଗାଉଛି । କେବଳ ଏତିକି ନୁହେଁ ଓଡିଶା ଏକ ଗରିବ ରାଜ୍ୟ ଥିଲା, ବିରୋଧୀମାନେ ଏହାକୁ ପାଥେୟ କରି ଭୋଟ୍ ହାତେଇବାକୁ ବାରମ୍ବାର ପ୍ରୟାସ କରୁଛନ୍ତି ହେଲେ ବାସ୍ତବତା ହେଲା ଆଜିର ଦିନରେ ଓଡିଶା ଗରିବୀକୁ ମାତ୍ ଦେଇ ସବୁଠାରୁ ଆଗରେ ରହିଛି । ସେହିପରି ରାଜ୍ୟର ସବୁ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଆଜି ଓଡିଶା ଦେଶର ସ୍ପୋଟର୍ସ କ୍ୟାପିଟାଲ ଭାବେ ବିଶ୍ୱ ଦରବାରରେ ସ୍ଥାନ ପାଇଛି । ଓଡିଶାରେ ସାଢେ ୪ ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗ ହୋଇଛି । ଏହା କଣ ପରିବର୍ତ୍ତନ ନୁହେଁ ବୋଲି ପ୍ରଶ୍ନ କରିବା ସହ ଏହା କେବଳ ରାଜ୍ୟବାସୀଙ୍କ ଆଶୀର୍ବାଦ ଓ ସହଯୋଗ ପାଇଁ ସମ୍ଭବ ହୋଇପାରିଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।