କେନ୍ଦୁଝର ପାଟଣା ସମାବେଶରୁ ପ୍ରଶ୍ନ ପଚାରି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ । କହିଲେ, ୫ ବର୍ଷ ଭିତରେ କଣ କରିଛନ୍ତି କେନ୍ଦ୍ର ସରକାର

ହାଇକମାଣ୍ଡଙ୍କ ପାଖରେ ମୁହଁ ଖୋଲୁନାହାନ୍ତି କେନ୍ଦ୍ର ମନ୍ତ୍ରୀ; ବର୍ଷକ ଭିତରେ କାର୍ଯ୍ୟକ୍ଷମ ହେବ କେନ୍ଦୁଝର ମେଡିକାଲ କଲେଜ

203

କନକ ବ୍ୟୁରୋ: ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପୁଣି ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ତୁଙ୍ଗ ନେତା ମାନେ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡିର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମର୍ମରେ ଆଜି ମୟୂରଭଂଜ ଏବଂ କେନ୍ଦୁଝରରେ ପ୍ରଚାର ଆରମ୍ଭ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଭୋଟ୍ ମାଗିଛନ୍ତି ନବୀନ ପଟ୍ଟନାୟକ । ପ୍ରଥମେ ମୟୁରଭଂଜର ଠାକୁରମୁଣ୍ଡାଠାରେ ଦଳ ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେବା ପରେ କେନ୍ଦୁଝରର ପାଟଣାରେ ଆୟୋଜିତ ଦଳୀୟ ସଭାରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ମୟୁରଭଂଜରେ ନବୀନ ନରମ ଭାବ ଦେଖାଇଥିବା ବେଳେ କେନ୍ଦୁଝରରେ କିନ୍ତୁ ନବୀନଙ୍କ ଭାଷଣରେ ଦେଖିବାକୁ ମିଳିଥିଲା ଆକ୍ରମଣାତ୍ମ ଭାବ । କାହିଁକି ନା ପାଟଣାର ଜନସଭାର ଆରମ୍ଭରୁ ହିଁ କେନ୍ଦ୍ର ଉପରେ ବର୍ଷିବା ଆରମ୍ଭ କରିଦେଇଥିଲେ ନବୀନ । ସଭା ମଂଚରୁ କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସମାଲୋଚନା କରି ନବୀନ କହିଛନ୍ତି, ହାଇକମାଣ୍ଡଙ୍କ ପାଖରେ କେନ୍ଦ୍ର ମନ୍ତ୍ରୀ ମୁହଁ ଖୋଲୁନାହାନ୍ତି । କେବଳ ନିର୍ବାଚନ ସମୟରେ ଭୋଟ ପାଇଁ ଓଡିଶା ଆସୁଛନ୍ତି ।

ଆପଣମାନେ ତାଙ୍କୁ କେନ୍ଦୁଝର ଜିଲ୍ଲାର ଜାତୀୟ ରାଜପଥ ବାବଦରେ ପଚାରନ୍ତୁ । ୫ ବର୍ଷ ଭିତରେ କେନ୍ଦ୍ର ସରକାର କଣ କରିଛନ୍ତି  ରେଳବାଇରେ କେନ୍ଦ୍ୁଝର ଜିଲ୍ଲା କେତେ ରାଜସ୍ୱ ଦେଉଛ ମାତ୍ର ବଦଳରେ ପାଉଛି କଣ?ବୋଲି ସେ ପ୍ରଶ୍ନ କରିଛନ୍ତି ନବୀନ। ତେବେ ବିଜେଡି ସରକାରର ହାଇକମାଣ୍ଡ ରାଜ୍ୟବାସୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଷକ ଭିତରେ କେନ୍ଦୁଝର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ଏବଂ କେନ୍ଦୁଝରର ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ଭୋଟରଙ୍କ ମନ ଜିଣିବାକୁ ଗୋଟି ଚାଳନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥି ସହିତ ହିଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ।