ଗତ ୬ ମାସରେ ସଂକ୍ରମଣ ରୋକିବାରେ ସଫଳ ହୋଇଛି ଓଡ଼ିଶା । ବୃଥା ଯାଇନି ଓଡ଼ିଶାବାସୀଙ୍କ ତ୍ୟାଗ, ଭ୍ୟାକସିନ୍ ନଆସିବା ଯାଏଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ।

458

କନକ ବ୍ୟୁରୋ : ବୃଥା ଯାଇନି ଓଡିଶାବାସୀଙ୍କ ତ୍ୟାଗ । ଗତ ୭ ମାସ ହେବ କରୋନା ବିରୋଧରେ ଲଢେଇ ଜାରି ରଖିଛି ଓଡ଼ିଶା । ଏଥିପାଇଁ ସମସ୍ତଙ୍କୁ ଅନେକ ତ୍ୟାଗ, କଷ୍ଟ ସହିବାକୁ ପଡିଛି । ଆପଣଙ୍କ ତ୍ୟାଗ ବୃଥା ଯାଇନି, ଗତ ୬ ମାସରେ କରୋନା ସଂକ୍ରମଣ ରୋକିବାରେ ଓଡ଼ିଶା ସଫଳ ହୋଇଛି । ଆଜି ଦୁର୍ଗାପୂଜାର ଅଭିନନ୍ଦନ ଜଣାଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲା ବେଳେ କରୋନାକୁ ନେଇ କିଛି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦଶହରା ପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘୧୫ ଦିନ ହେଲା ରାଜ୍ୟରେ ପଜିଟିଭ ସଂଖ୍ୟା କମିଛି । ମୋ ଅନୁରୋଧ ରକ୍ଷା କରି ଆପଣମାନେ ମାସ୍କ ପିନ୍ଧୁଛନ୍ତି, ସାମାଜିକ ଦୂରତା ରକ୍ଷା କରିଛନ୍ତି, ହାତ ଧୋଇଛନ୍ତି । ଯାହା ଫଳରେ ସଂକ୍ରମଣ କମିଛି । କିଛି ଲୋକ ଅମାନିଆ ହୋଇଛନ୍ତି । ସେମାନେ ପରିସ୍ଥିତି ବୁଝନ୍ତୁ ।’

କରୋନା କମିଛି ହେଲେ ସମ୍ପୂର୍ଣ୍ଣ ଭାବେ ଯାଇନି । ୨ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା । ପ୍ରତିଦିନ ହଜାର ହଜାର ପଜିଟିଭି ବାହାରୁଥିଲା । କରୋନା ଯୋଦ୍ଧାଙ୍କ ପରିଶ୍ରମ ପାଇଁ ସେଠି କରୋନା ସଂକ୍ରମଣ କମିଛି । ଭ୍ୟାକସିନ ନଆସିବା ଯାଏଁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ବୋଲି ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।