କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇପଡ଼ିଥିବା ଓଡ଼ିଶାର କ୍ଷତିପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପର୍ଯ୍ୟୟର ମୁକାବିଲା ପାଇଁ ୧୭ ହଜାର କୋଟି ଟଙ୍କାର ଦୀର୍ଘ ମିଆଦୀ ସହାୟତା ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଚଳିତ ବାତ୍ୟାର କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ୧ ହଜାର କୋଟି ଟଙ୍କାର ମଧ୍ୟବର୍ତ୍ତୀ କାଳୀନ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିବା ପରେ ପ୍ରଧାନମନ୍ତ୍ରୀ ଦାବିକୁ ଗ୍ରହଣ କରି ୧ ହଜାର କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିଛନ୍ତି ।
ସେହିଭଳି ବାରମ୍ବାର ହେଉଥିବା ପ୍ରାକୃତିକ ବିପର୍ଯ୍ୟୟର ପ୍ରତିରୋଧ ପାଇଁ ୧୭ ହଜାର କୋଟି ଟଙ୍କାର ଦୀର୍ଘମିଆଦୀ ସହାୟତା ଦାବି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ବାତ୍ୟାର ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ବିପନ୍ନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରି ବିଶ୍ୱସ୍ତରୀୟ ମାନକ ସୃଷ୍ଟି କରିଛୁ ତେଣୁ ବର୍ତ୍ତମାନ ଆମେ ଏକ ବିପର୍ଯ୍ୟୟ ପ୍ରତିରୋଧ ଓଡ଼ିଶା ଗଠନ କରିବା ଦିଗରେ ମଧ୍ୟ ବିଶ୍ୱସ୍ତରୀୟ ମାନ ସୃ୍ଷ୍ଟି କରିବା ଆବଶ୍ୟକ ବୋଲି କହିଛନ୍ତି ନବୀନ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ୩ଟି ବିଷୟ ଉପରେ ଆଲୋକପାତ କରିଥିଲେ ସେଗୁଡ଼ିକ ହେଲା-:
୧- ବିଦ୍ୟୁତ୍ ଭିତ୍ତିଭୂମି- ଓଡ଼ିଶା ଉପକୂଳ ବାତ୍ୟାପ୍ରବଣ ହୋଇଥିବାରୁ ଏହି ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମି ଯେପରି ବାରମ୍ବାର କ୍ଷତିଗ୍ରସ୍ତ ନହେବ, ସେଥିପାଇଁ ସେଗୁଡ଼ିକୁ ବିପର୍ଯ୍ୟ ପ୍ରତିରୋଧ କରିବା ଆବଶ୍ୟକ । ଏଥିପାଇଁ ୧୦ ହଜାର କୋଟି ଟଙ୍କାର ସହାୟତା ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
୨- ବାସଗୃହ- ବାତ୍ୟାପ୍ରବଣ ଉପୂକଳ ଓଡ଼ିଶାର ୫ ଲକ୍ଷ କଚ୍ଚାଘରକୁ ବିପର୍ଯ୍ୟୟ ପ୍ରତିରୋଧ ପକ୍କାଘରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୭ ହଜାର କୋଟି ଟଙ୍କାର ସହାୟତା ଦାବି ଜଣାଇଛନ୍ତି । ଯାହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ଅଂଶ ଯଥାକ୍ରମେ ୯୦ ଓ ୧୦ ପ୍ରତିଶତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ନବୀନ ।
୩- ଟେଲି ଯୋଗାଯୋଗ- ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ ବାଧା ଉପୁଜୁଛି । ତେଣୁ ଏହାକୁ ଗରୁତ୍ୱ ଦେଇ ସମଗ୍ର ଉପପୂଳ ଓଡ଼ିଶାରେ ବିପର୍ଯ୍ୟୟ ପ୍ରତିରୋଧ ଯୋଗାଯୋଗର ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଇଛନ୍ତି ନବୀନ ।
ଏହାସହ ୨୦୧୩ରେ ଫାଇଲିନ୍ , ୨୦୧୪ରେ ହୁଡହୁଡ଼, ୨୦୧୫ରେ ମରୁଡ଼ି, ୨୦୧୮ରେ ତିତଲୀ ଏବଂ ବର୍ତ୍ତମାନ ‘ଫୋନି’ ପରି ପ୍ରାକୃତି ବିପର୍ଯ୍ୟୟ ଓଡ଼ିଶାର ଅର୍ଥନୀତିକୁ ପ୍ରଭାବିତ କରିଆସୁଛି । ଏହି ସବୁ ବିପର୍ଯ୍ୟୟର ମୁକାବିଲା ଏବଂ ପୁର୍ନଗଠନ ପାଇଁ ରାଜ୍ୟ ସରକାରଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ଯାହାଦ୍ୱାରା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ମଧ୍ୟ ହ୍ରାସ କରୁଛି । ତେଣୁ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଥିବା ଓଡ଼ିଶାକୁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ଦେବାକୁ ପ୍ରଧାମନ୍ତ୍ରୀଙ୍କୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।