ପ୍ରଶଂସା କଲେ, ଉଦବେଗ ବି ଜଣାଇଲେ । କେନ୍ଦ୍ର ବଜେଟକୁ ନେଇ ନବୀନଙ୍କ ପ୍ରତିକ୍ରିୟା । କାହାକୁ ପ୍ରଶଂସା, କାହାକୁ ନିନ୍ଦା, ଜାଣନ୍ତୁ ।

ମନରେଗା ଏବଂ ଅନୁସୁଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଯୋଜନାରେ ଏବଂ ଜାତୀୟ ସାମାଜିକ ପ୍ରତିଶ୍ରୁତି କାର୍ଯ୍ୟକ୍ରମ ଅଧୀନରେ ପେନସନ ବାବଦ ଆବଂଟନ କମିବା ନେଇ ଚିନ୍ତା ଜାହିର କରିଛନ୍ତି ବିଜେଡି ସୁପ୍ରିମୋ ।

497

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବଜେଟ୍ ସରକାରଙ୍କ ଦୂରଦୃଷ୍ଟିର ପରିଚୟ ଦେଉଛି । ବଜେଟରେ ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ପାନୀୟ ଜଳ, ଜୀବନଜୀବିକା ମିଶନ ଏବଂ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଅଧିକ ବ୍ୟବୟବରାଦ କରାଯାଇଥିବାରୁ ଖୁସି ଜାହିର କରିଛନ୍ତି ନବୀନ । ହେଲେ, ମନରେଗା ଏବଂ ଅନୁସୁଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଯୋଜନାରେ ଏବଂ ଜାତୀୟ ସାମାଜିକ ପ୍ରତିଶ୍ରୁତି କାର୍ଯ୍ୟକ୍ରମ ଅଧୀନରେ ପେନସନ ବାବଦ ଆବଂଟନ କମିବା ନେଇ ଚିନ୍ତା ଜାହିର କରିଛନ୍ତି ବିଜେଡି ସୁପ୍ରିମୋ ।

ସେହିଭଳି ଚଳିତ ସାଧାରଣ ବଜେଟରେ ରେଳବାଇ କ୍ଷେତ୍ରରେ ଅଧିକ ଅର୍ଥ ଆବଣ୍ଟନ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନବୀନ ମତ ରଖିଥିବା ବେଳେ ଓଡ଼ିଶାର ରେଳପ୍ରକଳ୍ପ ବାବଦରେ ପର୍ଯ୍ୟାପ୍ତ ଅର୍ଥ ମିଳିବା ସହ ଏଗୁଡିକ ଖୁବଶୀଘ୍ର ସରିବ ବୋଲି ଆଶା ରଖିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଏବଂ ସ୍ୱଚ୍ଛ ଭାରତ ମିଶନକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି ଯାହା ସ୍ୱାଗତ ଯୋଗ୍ୟ ବୋଲି ନବୀନ କହିଛନ୍ତି । ଅନ୍ୟପକ୍ଷରେ ଜାତୀୟ ରାଜପଥ ପାଇଁ ଆବଂଟନ କମିବା ଅନ୍ତଃରାଜ୍ୟ ଯୋଗାଯୋଗ କ୍ଷେତ୍ରକୁ ବ୍ୟାପକ ଭାବେ ପ୍ରଭାବିତ କରିବା ଆଶଙ୍କା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି ଗ୍ରାମାଂଚଳରେ ଯୋଗାଯୋଗର ମାଧ୍ୟମକୁ ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ପାଇଁ ପ୍ରଦାନମନ୍ତ୍ରୀ ଆୱାସ ଯୋଜନା ଏବଂ ସ୍ୱଛ ଭାରତ ମିଶନ ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି । ହେଲେ ଏସବୁ ଯୋଜନା ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଂଟନ କରିବା ଆବଶ୍ୟକ ।

ଏହାରି ଭିତରେ ପୁଣି ଥରା କାଳିଆ ଓ ପିଏମ-କିଷାନ ଯୋଜନାକୁ ତୁଳନା କରିବାକୁ ଭୁଲିନାହାନ୍ତି ନବୀନ । କାଳିଆ ଯୋଜନା ଭଳି ପିଏମ-କିଷାନ ଯୋଜନାରେ ଚାଷୀଙ୍କୁ ସହାୟତା ବୃଦ୍ଧି କରିବା ଆଶା ଥିଲା । ସେହିଭଳି ଭୂମିହୀନ ଚାଷୀ ଓ ଭାଗଚାଷୀଙ୍କୁ ଏହି ଯେଜନାରେ ସାମିଲ କରିବାର ଆବଶ୍ୟକତାକୁ ନବୀନ ପୁଣି ଦୋହରାଇଛନ୍ତି ।
ସେହିଭଳି କେନ୍ଦ୍ର ବଜେଟରେ ସେସ୍ ଓ ସରଚାର୍ଜ ଲାଗୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନବୀନ । ଏବେ ମଧ୍ୟ ରାଜ୍ୟ କେନ୍ଦ୍ର ଠାରୁ ପାଉଥିବା ଟିକସବ୍ୟବସ୍ଥା ଭିତରେ ଏହାକୁ ସାମିଲ କରାଯାଇ ନଥିବାରୁ ରାଜ୍ୟ ନିକଟରେ ଉପଲବ୍ଧ ହେଉଥିବା ସମ୍ବଳ ପ୍ରଭାବିତ ହେବ ବୋଲି ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ବଡ କଥା ହେଉଛି, ପୂର୍ବରୁ କେନ୍ଦ୍ର ବଜେଟକୁ ନେଇ ନବୀନ ନିନ୍ଦା କରିଥିବା ବେଳେ ରାଜ୍ୟ କିଭଳି ଏହାଦ୍ୱାରା ପ୍ରଭାବିତ ହେବ ସେନେଇ କଡା ଟିପ୍ପଣୀ ରଖୁଥିଲେ । ଏପରିକି କେନ୍ଦ୍ର ବଜେଟକୁ ମାର୍କିଂ କରିବାକୁ ମଧ୍ୟ ସେ ପଛାଉ ନଥିଲେ । ହେଲେ ବଦଳୁଥିବା ରାଜନୈତିକ ସ୍ଥିତିରେ ନବୀନଙ୍କ ଏଭଳି ମିଶ୍ର ପ୍ରତିକ୍ରିୟା ଅନେକ କିଛି ଦିଗକୁ ସାମ୍ନାକୁ ଆଣୁଛି ।