କନକ ବ୍ୟୁରୋ: ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଅଞ୍ଚଳବାସିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଜପତିରେ ବନ୍ୟା ପ୍ରଭାବତିଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବାତ୍ୟା ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ପ୍ରତି ମୃତକଙ୍କ ପରିବାରକୁ ମିଳିବ ୧୦ଲକ୍ଷ ଟଙ୍କାର ସହାୟତା । ଗଜପତି ରାୟଗଡ଼ାରେ ପାହାଡ଼ ଉପରେ ଥିବା ୭୬ ପରିବାର ଚୁିହ୍ନଟ ହୋଇଛନ୍ତି । ସେମାନଙ୍କୁ ପାହାଡ଼ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥଇଥାନ କରାଯିବ । ଏନେଇ ୪ ଡିସିମିଲ ଜାଗାରେ ସେମାନଙ୍କୁ ବିଜୁ ପକ୍କା ଘର ଯୋଗାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଥଇଥାନ କରାଯିବା ଯାଏ ରିଲିଫ୍ କାର୍ଯ୍ୟ ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ।
ସେପଟେ ତିତଲି ପ୍ରଭାବରେ ମୃତ୍ୟୁ ସଂଖ୍ୟା ୫୨କୁ ପହଁଚିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ସରକାରଙ୍କ ପ୍ରାଥମିକ ରିପୋର୍ଟ ଅନୁସାରେ ୨ ହଜାର ୨୦୦ କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବା ଜଣା ପଡ଼ିଛି । ସେହିଭଳି ରାସ୍ତାଘାଟ କ୍ଷତିର ପରିମାଣ ୫ଶହ କୋଟି ଆକଳନ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।
ସେପଟେ ଗତକାଲି ତିତଲି କ୍ଷୟକ୍ଷତିକୁ ନେଇ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ରିଲିଫ୍ ଘୋଷଣା କରିଥିଲେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୧୦୨ କୋଟିର ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ଗଂଜାମ ଜିଲ୍ଲାର ଭଂଜନଗର ଗସ୍ତ କରି କ୍ଷୟକ୍ଷତି ଏବଂ ରିଲିଫ୍ ବିଷୟରେ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।