କନକ ବ୍ୟୁରୋ : ଶୁକ୍ରବାରରୁ ସଂସଦର ଶୀତକାଳୀନ ଅଧିବେଶନ । ଏଥର ଗୃହରେ ଉଠାଇବାକୁ ଅଛି ବିଜେଡି ପାଖରେ ଏକାଧିକ ପ୍ରସଙ୍ଗ । ହେଲେ ଦଳ ମୁଖ୍ୟ ପ୍ରସଙ୍ଗ କରିବ ମହାନଦୀକୁ । ଯାହାର ବ୍ଲୁପ୍ରିଂଟ୍ ପ୍ରସ୍ତୁତ ହୋଇଛି ସଂସଦୀୟ ଦଳ ବୈଠକରେ । ସାଂସଦଙ୍କୁ ଟିପ୍ସ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ମହାନଦୀ ବିବାଦରେ ଛତିଶଗଡକୁ କେନ୍ଦ୍ର ସରକାର ଏକପାଖିଆ ସମର୍ଥନ ଦେଉଥିବା ଅଭିଯୋଗ ଆଣି ପ୍ରତିବାଦ କରିବ ବିଜେଡି । ଏପରିକି ମୁଲତବୀ ପ୍ରସ୍ତାବ ଆଣି ଦଳ ଉଠାଇବ ମହାନଦୀ ଏଜେଣ୍ଡା ।

Advertisment

ମହାନଦୀକୁ ନେଇ ବିବାଦ ମଧ୍ୟରେ ଅନ୍ୟ ସମଭାବାପନ୍ନ ଦଳଙ୍କ ସହଯୋଗ ଲୋଡାଯିବ ବୋଲି ସାଂସଦ କହିଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଗୃହରେ କଂଗ୍ରେସର ସହଯୋଗ ଲୋଡିବ କି ବିଜେଡି । ତେବେ ସଂସଦୀୟ ଦଳ ବୈଠକରେ ସାଂସଦଙ୍କୁ, ସୁପ୍ରିମୋ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଗିଦ କରିଥିବା ଚର୍ଚା ହେଉଛି । ତାହା ହେଉଛି ଦଳୀୟ ଶୃଙ୍ଖଳା । ଦଳର ଶୃଙ୍ଖଳା ଭଂଗ ନକରି ଏବଂ ଦଳର ନୀତି-ଆଦର୍ଶ ଭିତରେ ରହି ମତ ଉପସ୍ଥାପନ କରିବାକୁ ସାଂସଦଙ୍କୁ ସିଧା ସିଧା କହିଛନ୍ତି ନବୀନ ।