ବର୍ଷ ଆରମ୍ଭରୁ ବାଜିଲା 5T ଛାଟ: ଦୁର୍ନୀତିଗ୍ରସ୍ତଙ୍କୁ ମିଳିଲା ଦଣ୍ଡ । ୬ ଅଧିକାରୀଙ୍କୁ ବିଦା କଲେ ନବୀନ

590

କନକ ବ୍ୟୁରୋ: ଦୁର୍ନୀତି କଲେ ଦଣ୍ଡ ମିଳୁଛି । ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ନିସ୍ତାର ଦେଉ ନାହାନ୍ତି ନବୀନ । ଯିଏ କର୍ତ୍ତବ୍ୟରେ ଟିକେ ହେଳା କରୁଛି ତାକୁ ସାଙ୍ଗେ ସାଙ୍ଗେ ଦଣ୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ଦୁର୍ନୀତି ଓ କର୍ତ୍ତବ୍ୟରେ ଅବହେଳା କରିଥିବା ୬ ଜଣ ଅଫିସରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ୬ ଅଧିକାରୀଙ୍କ ମଧ୍ୟରୁ ୪ ଜଣଙ୍କୁ ଚାକିରିରୁ ବହିଷ୍କାର କରିଥିବା ବେଳେ ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସରକାରୀ ଯନ୍ତ୍ରୀ ନାରାୟଣ ତିଆଡିଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ, କର୍ତ୍ତବ୍ୟରେ ଅବହେଳା କରିଥିବା ନାରାୟଣଙ୍କୁ ବିଦା କରାଯାଇଛି । ସେହିପରି ଅନ୍ୟଜଣେ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପଟେଲଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୀର୍ଘ ଦିନ ଧରି ଛୁଟିରେ ରହିଥିବାରୁ ଜ୍ଞାନେନ୍ଦ୍ରଙ୍କୁ ଅବସର ଦିଆଯାଇଛି ।

ସେପଟେ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ୪ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ । ସଞ୍ଜୟ କୁମାର ଚୌଧୁରୀ, ପ୍ରଦୀପ ରାୟ, ବିଜ୍ଞାନ ବେଉରିଆ ଏବଂ ଅମୀୟ ସେଠୀ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ମୋ ସରକାରରେ ସ୍ୱଚ୍ଛତା ଏବଂ ସେବାକୁ ଗୁରୁତ୍ୱ ଦେଉଥିବା ନବୀନ ପଞ୍ଚମ ପାଳିରେ କୌଣସି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବରଦାସ୍ତ କରୁନାହାନ୍ତି । ଯାହା ବିରୋଧରେ ଏଭଳି ଅଭିଯୋଗ ଆସୁଛି ନବୀନ ସଙ୍ଗେ ସଙ୍ଗେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ତେବେ ଗତ ଅଗଷ୍ଟ ମାସ ଠାରୁ ମୋଟ ୫୯ ଜଣ ସରକାରୀ ଅଧିକାରୀଙ୍କୁ ବହିଷ୍କାର କରାଯାଇଥିବା ବେଳେ ୧୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆଉ ୧୧ ଜଣଙ୍କ ପେନସନ ମଧ୍ୟ ବନ୍ଦ କରିଦିଆଯାଇଛି । ପୂର୍ବରୁ ଅନେକ ଅଧିକାରୀ ଦୁର୍ନୀତିରେ ଫସିବା ପରେ ନବୀନ ଏମିତି କିଛି ଦଣ୍ଡ ଦେଇଛନ୍ତି । ଆଉ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଦଣ୍ଡ ଦେଇ ଅନ୍ୟ ଅଫିସରଙ୍କୁ ଚେତାଇ ଦେଉଛନ୍ତି ।