ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମନ୍ତ୍ର ଫୁଙ୍କିଲେ ମୁଖ୍ୟମନ୍ତ୍ରୀ । କହିଲେ ଦୁର୍ନୀତି ବିକାଶର ବଡ ଶତ୍ରୁ । ଯିଏ ଦୁର୍ନୀତି କରିବ ମାଫ୍ ନାହିଁ…

257

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ । ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିକାଶର ବଡ ଶତ୍ରୁ । ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆରମ୍ଭରୁ ଆମ ସରକାର ଦୁର୍ନୀତି ବିରୋଧରେ ଲଢେଇ କରିଆସିଛି । ଦୁର୍ନୀତିର ଚେର ଉପାଡି ଫିଙ୍ଗି ଦେବାକୁ କଡା ଆଭିମୁଖ୍ୟ ନିଆଯାଉଛି । ଆଗକୁ ଏହି ଲଢେଇ ଜୋରଦାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦୁର୍ନୀତିରେ ଯିଏ ବି ହେଉନା କାହିଁକି, ସେ ତୃଣମୂଳସ୍ତରର କର୍ମଚାରୀ ହୁଅନ୍ତୁ ବା ଉଚ୍ଚ ପଦସ୍ତ ବଡ ବାବୁ, ଯଦି ସମ୍ପୃକ୍ତି ଥିବ ତେବେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ନୀତି ରୋକିବାକୁ ନିଆଯିବ କଡା ଆଭିମୁଖ୍ୟ । ଦୁର୍ନୀତି ବିରୋଧରେ ଆମର ସାଲିସବିହୀନ ଲଢେଇ ପାଇଁ ସାରା ଭାରତରେ ସୁନାମ ଆଣିଦେଇଛି । ତେବେ ବର୍ଷେ ମଧ୍ୟରେ ୯୧ ଜଣଙ୍କ ଚାକିରି ବନ୍ଦ କରିଛୁ । ଦୁର୍ନୀତିଖୋର ଲୋକଙ୍କ ପେନସନ ବନ୍ଦ କରିଛୁ । ଯିଏ ବି ହେଉନା କାହିଁକି ଦୁର୍ନୀତି କଲେ ମାଫ୍ ନାହିଁ ବୋଲି ସିଧା ସିଧା ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବଡ ପ୍ରସଙ୍ଗଟିଏ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ଜନତା ଜାଣି ପାରିବେ ନେତା-ଅଫିସରଙ୍କ ସମ୍ପତ୍ତି ତାଲିକା । ସବୁ ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯିବ । ବର୍ଷ ଶେଷକୁ ସେମାନେ ସମ୍ପତ୍ତି ତାଲିକା ଦେବେ । ତୃଣମୂଳ ସ୍ତରରୁ ଉଚ୍ଚ ପଦସ୍ତ ଯାଏଁ ସମସ୍ତଙ୍କ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖକୁ ପଠାଯିବ । ବିଜେଡିର ସମସ୍ତ ନେତା ସମ୍ପତ୍ତି ତାଲିକା ଦେବେ ବୋଲି ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରି ଦୁର୍ନୀତି ବିରୋଧରେ ଲଢେଇ କରିବାକୁ ମନ୍ତ୍ର ଦେଇଛନ୍ତି ।