ଆସ ବରଗଛ ହେବା, ବିଜୟ ଆଣିବା… କରୋନା ବେଳେ କାହିଁକି ବରଗଛ କାହାଣୀ କହିଲେ ମୁଖ୍ୟମନ୍ତ୍ରୀ ? ଫନି ବେଳେ ଉପୁଡି ପଡିଥିବା ବୁଢା ବରଗଛ ଦେଉଛି କି ବାର୍ତ୍ତା ? ଜାଣନ୍ତୁ ବରଗଛ ପଛର ବଡ କାହାଣୀ…

ମୁଁ ବରଗଛ କହୁଛି... ମୁଁ ବିଶ୍ୱାସ ଓ ବିଜୟର ପ୍ରତୀକ । ଅନେକ ବିପର୍ଯ୍ୟୟ ଦେଖିଛି, ଭାଙ୍ଗି ବି ଯାଇଛି । ନା କେବେ ହତାସ ହୋଇଛି ନା କେବେ ହାରିଯାଇଛି... ଭରସା ରଖି ପୁଣି ଛିଡ଼ା ହୋଇଛି... ମୁଁ ବରଗଛ କହୁଛି... ମୁଁ ବରଗଛ କହୁଛି...

2,433

କନକ ବ୍ୟୁରୋ: ବିପଦରୁ ବର୍ତ୍ତିବାକୁ ବରଗଛର ବିଜୟ ବାର୍ତ୍ତା । ସାହସ ବଢାଇଲା ନବୀନଙ୍କ ବରଗଛ କାହାଣୀ । ଯୁଦ୍ଧ ଲଢିବା, ନିଶ୍ଚୟ ଜିତିବା । କରୋନା ସହ ଲଢେଇ କରି ପୁଣି ଜିତିବା, ପୁଣି ହସିବା । ଆଉ ଓଡିଶା ମୁଣ୍ଡରେ ବୀଜୟର ଟୀକା ମାରି ପୁଣି ଫେରାଇ ଆଣିବା ପୁରୁଣା ହସ । ମହାମାରୀକୁ ମାତ୍ ଦେଇ ଓଡିଶା ପୁଣି କେମିତି ପୂର୍ବସ୍ଥିତିକୁ ଫେରିବ ? କରୋନା କବଳରୁ ବର୍ତ୍ତି କେମିତି ବିଜୟର ବାନା ଉଡାଇବ ? ସେନେଇ ବରଗଛର କାହାଣୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହାମାରୀ ପୂର୍ବରୁ ମହାବାତ୍ୟାର ମୁକସାକ୍ଷୀ ଅଛନ୍ତି ଓଡିଶାବାସୀ । ବଡ ବଡ ବିପର୍ଯ୍ୟୟର ବି ସାମ୍ନା କରିଛି ଏ ଓଡିଆ ଜାତି । କେବେ ବାତ୍ୟା ଆସି ଓଡିଶାକୁ ଆଖି ଦେଖାଇଛି ତ କେବେ ଓଡିଶା ଛାତିରେ ବନ୍ୟା ରଚିଛି ବପର୍ଯ୍ୟୟର ବିଭିଷୀକା । ପ୍ରଳୟର ତାଣ୍ଡବ ଆଗରେ ଓଡିଶା କେବେ ଛାତି ଦେଖାଇ ଛିଡା ହୋଇଛି ତ ପୁଣି କେବେ ମହାଝଡର ମୁହଁ ଆଗରେ ନଇଁ ପଡି ଏହାର ମୁକାବିଲା କରିଛି । ନମନୀୟତାର ନିଦର୍ଶନ ସାଜି ଓଡିଆ ଜାତି ସବୁ ବିପଦକୁ ସାମ୍ନା କରିଛି ଆଉ ପୁଣି ଥରେ ମୁଣ୍ଡ ଟେକି ବିଜୟ ହୋଇଛି ।

ତେବେ ଗତ ବର୍ଷ ବାତ୍ୟା ଫନି ଯେତେବେଳେ ସମୁଦ୍ର ଭିତରୁ ଫଣା ଟେକି ସ୍ଥଳଭାଗକୁ ମାଡିଆସିଥିଲା ସେତେବେଳେ ପ୍ରଳୟ ପାଟି ଭିତରକୁ ପଶିଯାଇଥିଲା ଅଧା ଓଡିଶା । ଉପକୂଳ ଓଡିଶା ସମେତ ଭୁବନେଶ୍ୱରରେ ବି ଭୟଙ୍କର ତାଣ୍ଡବ ରଚିଥିଲା ଫନି । ଆଉ ଉପାଡି ଫିଙ୍ଗି ଦେଇଥିବା ବର୍ଷ ବର୍ଷ ତଳର ପୁରୁଣା ଗଛ । ଠିକ୍ ସେତିକି ବେଳେ ବାତ୍ୟା ପ୍ରଭାବରେ ଉପୁଡି ପଡିଥିଲା ୟୁନିଟ୍ ୮ ଷ୍ଟୁଆର୍ଟ ସ୍କୁଲ ପାଖରେ ଛିଡା ହୋଇଥିବା ଏହି ବୁଢା ବରଗଛ । ତେବେ ପରେ ଭାଙ୍ଗିଯାଇଥିବା ଗଛକୁ ପୁଣି ଥରେ ଛିଡା କରି ତା ମୂଳରେ ମାଟିଦେଇ ପୁନରୁଦ୍ଧାର କରାଯାଇଥିଲା । ଆଉ ଏବେ ବର୍ଷେ ପରେ ବଦଳିଯାଇଛି ବୁଢାଗଛର ଚିତ୍ର । ଫନି ପାଟିରୁ ବର୍ତ୍ତି ପୁଣି ମୁଣ୍ଡ ଉଠାଇଛି ଆଉ ରାସ୍ତା କଡରେ ସବୁଜ ପତ୍ରରେ ଢାଙ୍କିହୋଇ ସମୟ ସବୁ ବଦଳାଇ ଦିଏ ବୋଲି ବାର୍ତ୍ତା ଦେଉଛି…

ବାତ୍ୟା, ବନ୍ୟା ଭଳି ଏବେ ଓଡିଶାକୁ ମାଡିବସିଛି ମହାମାରୀ । କରୋନା ସହ ସାରା ଓଡିଶା ଲଢେଇ କରୁଛି । ଫନି ବେଳେ ଅଧା ଓଡିଶା ଆଖିରେ ଲୁହ ଥିଲା ଆଉ ଏବେ ବି ଓଡିଶା ଆକାଶରେ କରୋନାର କଳା ବାଦଲ । ତେବେ ପୂର୍ବରୁ ବିପଦକୁ ଟାଳି ଓଡିଶାବାସୀ ଯେମିତି ସବୁଥର ଜିତିଛନ୍ତି ଠିକ୍ ସେମିତି ଏବେ କରୋନାକୁ ଜିତି ପୁଣି ହସିବା । ଅସୀମ ଧୈର୍ଯ୍ୟ, ଅଦମ୍ୟ ସାହସ, ଦୃଢ ଇଚ୍ଛାଶକ୍ତି ଆଉ ସମୟ ସହ ତାଳ ଦେଇ ଲଢେଇ କଲେ ବରଗଛ ପରି ବାଜି ମାରି ପାରିବା ବୋଲି ରାଜ୍ୟବାସୀଙ୍କୁ ବିପଦ ବେଳେ ବରଗଛର କାହାଣୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।