କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ପଶ୍ଚିମ ଓଡିଶାକୁ ଫୋକସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ଛତିଶଗଡ ସୀମାନ୍ତ ଜିଲ୍ଲାଗୁଡିକରେ କରୋନା ବ୍ୟାପିଛି । ତେଣୁ ଏହି ଜିଲ୍ଲାକୁ ଯିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ କୋଭିଡ୍ ସ୍ଥିତି କିପରି ଅଛି ସେନେଇ ସେମାନେ ଅନୁଧ୍ୟାନ କରିବା ସହିତ ଆବଶ୍ୟକ ଥିବା ପଦକ୍ଷେପକୁ ତୁରନ୍ତ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତୁରନ୍ତ ସେଠାକୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି କରୋନା ମୁକାବିଲା ପାଇଁ ହସ୍ପିଟାଲ ଭିତ୍ତିଭୂମି ଦୃଢ ଏବଂ ଆମ୍ବୁଲାନ୍ସ, ଅକ୍ସିଜେନ୍ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
#ପଶ୍ଚିମ_ଓଡିଶା_ଉପରେ_ଫୋକସ୍
କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବ୍ୟାପିଛି । ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ପଶ୍ଚିମ ଓଡିଶା ଯିିବାକୁ ନିର୍ଦ୍ଦେଶ । #COVID19 #Odisha pic.twitter.com/y22yhcstKO— Kanak News (@kanak_news) April 6, 2021
ଅନ୍ୟପଟେ କରୋନା ସ୍ଥିତି ସମୀକ୍ଷା ପରେ ପୁଲିସ ଡିିଜିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯଥେଷ୍ଟ ପୁଲିସ କର୍ମୀଙ୍କୁ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ୧୦ ଦିନ କରୋନା କଟକଣା ସାରା ରାଜ୍ୟରେ କଡାକଡି ପାଳନ ହେବ । ଏଥିପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ କରିବାକୁ ଓଡିଶା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ରାଜ୍ୟର ଛତିଶଗଡ ସୀମାନ୍ତ ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ଏହାକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।