ଭାରତୀୟ ହକି ଦଳର ଦମଦାର ବିଜୟ : ଘରେ ବସି ଟିଭି ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ; ସେମିଫାଇନାଲରେ ପ୍ରବେଶ କରିଥିବାରୁ ଟୁଇଟ କରି ଜଣାଇଲେ ଶୁଭେଚ୍ଛା

204

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ । ଭାରତୀୟ ଦଳର ବିଜୟ ପରେ ମୁଖ୍ୟମନ୍ତ୍ରୀ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଦଳର ପ୍ରଦର୍ଶନରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୱାର୍ଟର ଫାଇନାଲରେ ଭାରତ ଚମକପ୍ରଦ ପ୍ରଦର୍ଶନ କରିଛି । ସେମିଫାଇନାଲ ଓ ଫାଇନାଲରେ ମଧ୍ୟ ଟିମ ଏହି ଧାରା ବଜାୟ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଜାତୀୟ କ୍ରୀଡା ହକିର ବିକାଶରେ ଓଡ଼ିଶାର ବହୁ ଅବଦାନ ରହିଛି । ଓଡ଼ିଶା ସରକାର ୨୦୧୮ ମସିହାରୁ ୫ ବର୍ଷ ଯାଏ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଟିମର ପ୍ରାୟୋଜକ ଅଛନ୍ତି ।

ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଆମ ଜାତୀୟ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଆସୁଛି । ଓଡ଼ିଶାର ବହୁ ଖେଳାଳି ଭାରତୀୟ ଟିମ୍‌ରେ ବିଭିନ୍ନ ସମୟରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ଭାରତୀୟ ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରା ଉପ ଅଧିନାୟକ ଥିଲା ବେଳେ ମହିଳା ହକି ଦଳରେ ଦୀପ ଗ୍ରେସ୍ ଏକ୍କା ସ୍ଥାନ ପାଇଛନ୍ତି । ହକି ଇଣ୍ଡିଆ ସହିତ ଅଂଶୀଦାର ହୋଇ ଓଡ଼ିଶା ସରକାର ଭୁବନେଶ୍ବରରେ ଗୁରୁତ୍ବପୂର୍ଣ୍ଣ ହକି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରୁଛନ୍ତି । ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ଯୋଗୁ ଭାରତୀୟ ଟିମ୍‌ର ମନୋବଳ ବଢ଼ିବା ସହ ଖେଳାଳିମାନଙ୍କ ପ୍ରଦର୍ଶନ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି ।